୧୮ ବର୍ଷ ହେଲା ଶୌଚାଳୟରେ ପଡ଼ିଛି ତାଲା ଓ ରାଜପଥରେ ରାଜୁତି କରୁଛି ଅନ୍ଧାର

ଖଲ୍ଲିକୋଟ/ଗଞ୍ଜାମ(ଅଶ୍ଵିନୀ କୁମାର ମହାନ୍ତି):ଖଲ୍ଲିକୋଟ ଥାନା ଅଧୀନରେ ଥିବା ଶ୍ରୀକୃଷ୍ଣପୁର ପଂଚାୟତର ଜନ ଗହଳି ପୂର୍ଣ୍ଣ କେଶପୁର ଛକ ମୌଳିକ ସୁବିଧା ରୁ ବଞ୍ଚିତ ହେଉଥିବାର ଦେଖିବାକୁ ମିଳିଛି।କେଶପୁର ଛକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ହେଉ ବା ରେଲୱେ ଷ୍ଟେସନ ପ୍ରତିଟି ପ୍ରମୁଖ ସ୍ଥାନକୁ ସଂଯୋଗ କରୁଥିବା ରାସ୍ତାର ଆଲୋକିକରଣ ଓ ସ୍ୱଚ୍ଛତା ଏକ ପ୍ରକାର ଆଣ୍ଠେଇ ପଡ଼ିଥିବା ଦେଖିବାକୁ ମିଳିଛି।ଦୀର୍ଘ ୨୦ ବର୍ଷ ତଳେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ନିର୍ମିତ ହେଇଥିବା ଶୌଚାଳୟ ଆଜି ପରିତ୍ୟକ୍ତ ଅବସ୍ଥାରେ ଦେଖିବାକୁ ମିଳିଛି….ମାତ୍ର ଏକ ବର୍ଷ ରୁ ଦୁଇ ବର୍ଷ କାର୍ଯ୍ୟକ୍ଷମ ହେବା ପରେ ୧୮ ବର୍ଷ ହେଲା ଶୌଚାଳୟ ରେ ଝୁଲୁଛି ତାଲା।

ଶୌଚାଳୟ ର କବାଟ ଝରକା ଭାଙ୍ଗିଯିବା ସହିତ ଶୌଚାଳୟ ଭିତରେ ପ୍ରଶାସନିକ ଅବହେଳା କାରଣରୁ ଗଛ ଲତା ମାଡି ଯାଇଥିବା ଦେଖିବାକୁ ମିଳିଛି। ସ୍ୱଚ୍ଛତା କୁ ନେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା ଓ ଅଭିଯାନ ପ୍ରସ୍ତୁତ କରିଥିଲେ ମଧ୍ୟ ୧୮ ବର୍ଷ ଧରି ବନ୍ଦ ପଡ଼ିଥିବା ଶୌଚାଳୟ ପ୍ରତି କାହାର ନିଘା ନଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ଓ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେବା ସହିତ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଯଦି ଅନ୍ୟପଟେ ଦେଖିବା କେଶପୁର ଛକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଦୁଇ ବର୍ଷ ପୂର୍ବେ ଓଭର ବ୍ରିଜ ହେବା ସହିତ ରାସ୍ତାର ପ୍ରଶସ୍ତିକରଣ କରାଯାଇଲା କିନ୍ତୁ ଆଜକୁ ଦୀର୍ଘ ଦୁଇବର୍ଷ କାଳ ବିତି ଯାଇଥିଲେ ମଧ୍ୟ ରାଜ ପଥ ରେ ବିଦ୍ୟୁତ ସଂଯୋଗୀକରଣ ର ଅଭାବ ଯୋଗୁଁ ଅନ୍ଧାର ରାଜୁତି କରୁଥିବା ଦେଖିବାକୁ ମିଳୁଛି।

ଯାହା ଫଳରେ ଅନ୍ଧାର ର ସୁଯୋଗ ନେଇ ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ବଢିବା ସହିତ ସାଧାରଣ ଲୋକ ଓ ବୁଲା ଗୋରୁ ଗାଈ ସଡକ ଦୁର୍ଘଟଣା ର ଶିକାର ହୋଇ ମୃତ୍ୟୁ ମୁଖରେ ପଡୁଥିବା ନଜିର ରହିଛି। ଅଂଚଳବାସୀ ଏ ନେଇ ଜାତୀୟ ରାଜପଥ ବିଭାଗୀୟ କତୃପକ୍ଷ ଙ୍କୁ ବାରମ୍ବାର ଲିଖିତ ଅବଗତ କରିଥିଲେ ମଧ୍ୟ ଅଦ୍ୟାବଧି ବିଭାଗୀୟ କତୃପକ୍ଷ ଙ୍କ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଦେଖିବାକୁ ମିଳିଛି। ଖଲ୍ଲିକୋଟ ଅଞ୍ଚଳର ସର୍ବାଧିକ ଜନ ଗହଳି ଅଞ୍ଚଳ କୁହାଯାଉଥିବା ଏହି କେଶପୁର ଛକ ର ମୌଳିକ ସମସ୍ୟା ତଥା ଆଲୋକୀକରଣ ଓ ଶୌଚାଳୟ ର ପୁନଃରୁଧାର ନିତାନ୍ତ ଜରୁରୀ ହୋଇପଡିଛି।

Leave a Reply

Your email address will not be published. Required fields are marked *

error: Content is protected !!