ଜନତା ହାଇସ୍କୁଲରେ ବିଶ୍ଵ ଶୌଚାଳୟ ଦିବସ ପାଳିତ

ବରଗଡ (ମୁକୁନ୍ଦ ଦାସ): ଶୌଚାଳୟର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ଜନତା ହାଇସ୍କୁଲରେ ବିଶ୍ଵ ଶୌଚାଳୟ ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ବିଶ୍ଵ ଶୌଚାଳୟ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଚଳିତ ବର୍ଷର ପ୍ରସଙ୍ଗ “ଶୌଚାଳୟ: ଶାନ୍ତିର ଏକ ସ୍ଥାନ”ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଶିକ୍ଷକ ଶ୍ରୀ ଖମାରୀ ଏବଂ ଶିକ୍ଷକ ଶ୍ରୀପତି ସାହୁ ଛାତ୍ରଛାତ୍ରୀମାନଙ୍କୁ ହାତ ଧୁଆର କୌଶଳ ପ୍ରଦର୍ଶନ ମାଧ୍ୟମରେ ଦର୍ଶାଇଥିଲେ।

ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏହି କୌଶଳ ଶିଖିବା ପାଇଁ ପ୍ରୟାସ କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀ ନିଜେ ପ୍ରତ୍ୟହ ଶୌଚାଳୟ ବ୍ୟବହାର କରିବା ସହିତ ଅନ୍ୟମାନେ ଯେପରି ଦୈନନ୍ଦିନ ବ୍ୟବହାର କରିବେ ସେଥିପାଇଁ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିଥିଲେ।ବିଦ୍ଯାଳୟର ମାନକ କ୍ଲବ୍,ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ,ଶକ୍ତି କ୍ଲବ ଓ ଜୁନିଅର୍ ରେଡ୍ କ୍ରସର ସଦସ୍ୟ,ଶିକ୍ଷକ ଶ୍ରୀପତି ସାହୁ, ତେଜରାମ ସା,ବୋଧରାମ ବିଶ୍ବାଳ,ପ୍ରଶାନ୍ତ ମହାପାତ୍ର ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ଅନୀତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!