ବରଗଡ(ମୁକୁନ୍ଦ ଦାସ): ଆସନ୍ତା ଜାନୁଆରୀ ୩ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ୭୮ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଆସନ୍ତା ଡିସେମ୍ବର ୪ତାରିଖ ସନ୍ଧ୍ୟା ୫ଟା ୧୫ ମିନିଟ୍ ସମୟରେ , ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଶୁଭ ସ୍ତମ୍ଭ ସ୍ଥାପନା ହେବ। ଏଥିସହ ଏଥର ବଦଳିବେ ମହାରାଜ କଂସ l ଗତ 2022 ରେ ତିନି ଥର ପାଇଁ ଚୟନ ହୋଇଥିବା କଂସ ଅଭିନେତା ହୃଷିକେଶ ଭୋଇ ତାଙ୍କ ସରକାରୀ କାର୍ଯ୍ୟ ରେ ବିବାଦୀୟ ହେବା କାରଣରୁ ଏଥର ହୃଷିକେଶ ଙ୍କୁ ବାଦ୍ ଦିଆଯାଇଛି l
ଫଳରେ ଏଥର ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଦେଖିବାକୁ ମିଳିବ ନୂଆ କଂସଙ୍କୁ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନୂଆ କଂସ ପାଇଁ ଖୁବ୍ ଶୀଘ୍ର ଚୟନ ପ୍ରକିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ୨୦୨୨ରେ ଦ୍ୱିତୀୟରୁ ପଞ୍ଚମ ହୋଇଥିବା ଜଣଙ୍କୁ ଚୟନ କରାଯିବ ବୋଲି ଆବାହକ ସୁରେଶ୍ୱର ଶତପଥି ପ୍ରକାଶ କରିଛନ୍ତି ।
ଉଲ୍ଲେଖନୀୟ ଯେ, ୨୦୨୨ରୁ କଂସ ଭୂମିକା ତୁଲାଉଥିବା ହୃଷିକେଶ ଭୋଇଙ୍କୁ ଏଥର ବାଦ୍ ଦିଆଯାଇଛି । ହୃଷିକେଶ ଭୋଇଙ୍କୁ ବାଦ୍ ଦିଆଯିବା ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।
କିଛିଦିନ ଦିନ ତଳେ ହୃଷିକେଶ ଭୋଇ ଏକ ବିବାଦରେ ଛନ୍ଦି ହୋଇ ପଡିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡି ଚଳାଉଥିବା ବେଳେ ଜଣେ ରୋଗୀଙ୍କ ଠାରୁ ଲାଞ୍ଚ ନେଇ ବିବାଦ ଘେରକୁ ଆସିଥିଲେ । ଆଉ ଏହା ପରେ ସିଡିଏମଓ ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ସମ୍ଭବତଃ ଧନୁଯାତ୍ରାର ଛବି ମଳିନ ହେବା ଆଶଙ୍କା କରି ଧନୁଯାତ୍ରା କମିଟି ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି ।