ବରଗଡ଼(ମୁକୁନ୍ଦ ଦାସ) : କ୍ୟାନ୍ସର ଆମ ଦୈନନ୍ଦିନ ଜୀବନର ବ୍ୟାଧି ରୂପେ ଦେଖାଦେଇ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବରେ ପ୍ରତ୍ୟେକ ପରିବାର କୁ ପ୍ରଭାବିତ କରୁଛି । ମୁଖ୍ୟତଃ ସର୍ଭିକାଲ କ୍ୟାନ୍ସର ଏକ ସାଧାରଣ ବ୍ୟାଧି ପରି ମହିଳା ମାନଙ୍କ ଠାରେ ଦେଖାଯାଉଛି । ୫୦ ରୁ ୫୫ ବର୍ଷ ବୟସର ମହିଳାଙ୍କ ଠାରେ ୩ବି ଷ୍ଟେଜ କ୍ୟାନ୍ସର ଦେଖାଯିବା ଏକ ଚିନ୍ତାର ବିଷୟ ବୋଲି ବରଗଡ଼ ମହିଳା ସମିତି ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯାଇଛି । ଏହି ମର୍ମରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବରଗଡ଼ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସେଥିରେ କୁହାଯାଇଛି ଯେ, ମହିଳା ମାନଙ୍କୁ କ୍ୟାନ୍ସର ଭଳି ଦୁରାରୋଗ୍ୟରୁ ସୁରକ୍ଷିତ ରଖିବା ପାଇଁ ୯ ରୁ ୧୪ ବର୍ଷ ବୟସ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଏହି ଭେକସିନ ପ୍ରଦାନ କରାଯିବା ଆବଶ୍ୟକ ।
ଭେକସିନର ମୂଲ୍ୟ ଅଧିକ ଥିବାରୁ ସାଧାରଣ ବର୍ଗ ଏହାର ସୁଯୋଗ ନେଇପାରୁନାହାନ୍ତି ବୋଲି ଦୃଷ୍ଟି ଆକର୍ଷଣ କରାଯାଇଛି ।ସେଥିରେ କୁହାଯାଇଛି ଯେ, କ୍ୟାନ୍ସର ମୁକ୍ତ ସମାଜ ଗଠନ ଉଦ୍ୟମରେ କେତେକ ରାଜ୍ୟ ସରକାର ମାଗଣାରେ ଏଚ୍.ପି.ଭି. ଭେକସିନ ପ୍ରଦାନ କରିବାକୁ ଘୋଷଣା କରିସାରିଛନ୍ତି । ସେହି ରାଜ୍ୟ ଗୁଡ଼ିକ ହେଲା ପଞ୍ଜାବ, ସିକ୍କିମ, କର୍ଣ୍ଣାଟକ, ତାମିଲନାଡୁ, ଛତିଶଗଡ଼ ଓ ମହାରାଷ୍ଟ୍ର । ଏହି ମାଗଣା ଭେକସିନେଶନ କାର୍ଯ୍ୟକ୍ରମ ସେମାନେ କ୍ୟାନ୍ସର ପ୍ରବଣ କେତେକ ଜିଲ୍ଲାର ସ୍କୁଲ ଛାତ୍ରୀ ମାନଙ୍କୁ ସ୍ଵତନ୍ତ୍ର ପାଇଲଟ ଯୋଜନାର ଅଂଶ ଭାବରେ ଗ୍ରହଣ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
ଓଡ଼ିଶାର ଗ୍ରାମାଞ୍ଚଳର ମହିଳା ଶିକ୍ଷା ୫୦ ଭାଗରୁ କମ ଥିବା ବେଳେ କେନସର ରେ ଆକ୍ରାନ୍ତଙ୍କ ମଧ୍ୟରେ ୯୦ ଭାଗରୁ ଅଧିକ ସର୍ଭାଇକାଲ କେନସର୍ ରେ ପୀଡ଼ିତାଙ୍କ ବୟସ ୫୦ ରୁ ୫୫ ବର୍ଷ ରହିଛି । ଏଭଳି ଉଦବେଗ ଜନକ ପରିସ୍ଥିତିର ମୁକାବିଲା ତଥା କ୍ୟାନ୍ସର ମୁକ୍ତ ସମାଜ ଗଠନ ପାଇଁ ଓଡ଼ିଶା ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ସମୂହ ଭାବରେ ମହିଳା ମାନଙ୍କୁ ମାଗଣାରେ ଏଚ.ପି.ଭି. ଭେକସିନ ପ୍ରଦାନ କରାଯିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବରଗଡ଼ ମହିଳା ସମିତି ଦାବି କରିଛି ।
ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟେଲ ରାଜ୍ୟ ସରକାରଙ୍କ ବିଚାର ପାଇଁ ଦାବିପତ୍ର ପଠାଇ ଦେବେ ବୋଲି କହିଥିଲେ । ବରଗଡ଼ ମହିଳା ସମିତି ର ସଭାନେତ୍ରୀ ହର୍ଜିନ୍ଦର୍ କୌର ଙ୍କ ନେତୃତ୍ୱରେ ପ୍ରତିନିଧି ଦଳରେ ଇନ୍ଦ୍ରାଣୀ ଶତପଥୀ, କନକ ପ୍ରଧାନ, ରାଧାରାଣୀ ମିଶ୍ର, ମମତା ମିଶ୍ର, ସୁଜାତା ପଣ୍ଡା, ପ୍ରଣତି ପଣ୍ଡା, ସୁଧାଂଶୁବାଳା ଦାଶ, ସଂଘମିତ୍ରା ପଟେଲ, ଜୟନ୍ତୀ ପ୍ରଧାନ, ସରିତା ସଲୋନି ଦାସ ପ୍ରମୁଖ ସାମିଲ ହୋଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ ପୂର୍ବକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।