କେନ୍ଦୁଝର (ସୀତାରାମ ଦୀକ୍ଷିତ): ୨୩ ବର୍ଷରୁ କମ ଓଡିଶା କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି କେନ୍ଦୁଝରର ଯୁବ କ୍ରିକେଟର ଶୁଭମ ପ୍ରିୟଦର୍ଶୀ l ଆସନ୍ତା ୧୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ବିସିସିଆଇ ୨୩ ବର୍ଷରୁ କମ ‘ଏ’ ଟ୍ରଫି ପୁରୁଷ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟ ଛତିଶଗଡର ରାଏପୁର ଏବଂ ଭିଲାଇ ଠାରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି l ୨୦୧୮- ୧୯ ରେ ଗୁଜୁରାଟର ଜାମନଗରଠାରେ ସ୍କୁଲ ଗେମ ଫେଡେରେସନ ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ସ୍ତର ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଓଡିଶା ଦଳ ପାଇଁ ମନୋନୀତହୋଇ ରାଜ୍ୟକୁ ପ୍ରଥମଥର ପାଇଁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ l
ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି l ୨୦୨୩-୨୪ ରେ ସେ ଟେଷ୍ଟ ଫର୍ମାଟରେ ୧୯ ବର୍ଷରୁ କମ ଓଡିଶା ଦଳ ପାଇଁ କୁଚ ବିହାର ଟ୍ରଫିରେ ଏବଂ ପରେ ପରେ ଦିନିକିଆ ଫର୍ମାଟରେ ଭିନୁ ମଙ୍କଡ଼ ଟ୍ରଫି ପାଇଁ ଓଡିଶା ଦଳପାଇଁ ମନୋନୀତ ହୋଇ ଖେଳିବାର ସୁଯୋଗ ପାଇଥିଲେ l ଏହି ଦୁଇଟି ପ୍ରତିଯୋଗିତା ଏବଂ ଆନ୍ତଃ ଜିଲ୍ଲା କ୍ରିକେଟ ପ୍ରତିଯୋଗିତାରେ ଉନ୍ନତ ମାନର କ୍ରୀଡା ନୈପୂଣ୍ୟ ପ୍ରଦର୍ଶନକରି ସେ ମନୋନୟନକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l
ଶେଷରେ ସେ ୨୩ ବର୍ଷରୁ କମ ଓଡିଶା ଦଳପାଇଁ ମନୋନୀତ ହୋଇ ଜିଲ୍ଲାକୁ କ୍ରିକେଟ ମାନଚିତ୍ରରେ ସ୍ଥାନିତ କରିବାରେ ସଫଳକାମୀ ହୋଇପାରିଛନ୍ତି l ଶୁଭମଙ୍କ ବାପା ସୁଶାନ୍ତ କୁମାର ସେଠୀ ଏବଂ ମା’ ମମତା ସେଠୀ ଉଭୟ ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟରତ l ଶୁଭମଙ୍କ ଏହି ଏହି ବିରାଟ ସଫଳତା ପରେ ସମଗ୍ର ଜିଲ୍ଲାରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଥିବାବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି l