ଅନୁଗୋଳ (ଅଜିତ କୁମାର ଭୋଇ): ଅନୁଗୋଳ ଜିଲା ସଦର ଥାନା ଅଧିନରୁ ଜଣେ ନକଲି ସବଇନ୍ସପେକ୍ଟର ଗିରଫ ହୋଇଛି। ମହୀଧରପୁର ଫାଣ୍ଡି ଅଧିନରେ ଥିବା ଏକ ମଦ ଦୋକନରୁ ପ୍ରଥମେ ୫ ହଜାର ଟଙ୍କା ବଟି ମାଗିଥିଲେ। ଏହାପରେ ଅନୁଗୋଳ ସଦର ଥାନା ଅଧିନ ଛେଳିଆପଡ଼ାରେ ହେଲମେଟ୍ ଯାଞ୍ଚ କରି ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ। ସଦର ଥାନା ପୁଲିସ ନକଲି ସବଇନ୍ସପେକ୍ଟରଙ୍କୁ ଗିରଫ କରିଛି। ହେଲେ ତାଙ୍କ ସହ ଥିବା ନକଲି କନଷ୍ଟେବଳ ଘଟଣା ସ୍ଥଳରୁ ଚମ୍ପଟ ମାରିଛି। ଉଭୟ ନକଲି ପୁଲିସ କର୍ମଚାରୀଙ୍କ ଘର ସଦର ଥାନା ଅଧିନ ଛେଳିଆପଡ଼ାରେ ବୋଲି ତଦନ୍ତରୁ ଜଣାପଡିଛି।

ଖବର ନେବାରୁ ଜଣାପଡିଛି ନକଲି ସବଇନ୍ସପେକ୍ଟର ଓ ନକଲି କନଷ୍ଟେବଳ ମହୀଧରପୁର ଫାଣ୍ଡି ଅଧିନରେ ଥିବା ଏକ ମଦ ଦୋକାନୀଙ୍କୁ ୫ ହଜାର ଟଙ୍କା ବଟି ମାଗିଥିଲେ। ମଦ ଦୋକାନୀ କର୍ମଚାରୀ ତାଙ୍କୁ ପ୍ରଥମେ ୩ ହଜାର ଟଙ୍କା ଦେଇଥିଲେ ଓ ପରେ ବାକି ୨ ହଜାର ଟଙ୍କା ଦେବେ ବୋଲି କହିଥିଲେ। ଏହାପରେ ନକଲି ପୁଲିସ କର୍ମଚାରୀ ଦ୍ବୟ ମହୀଧରପୁର ଓ ଛେଲିଆପଡା ମଧ୍ୟରେ ଥିବା ବିଭିନ୍ନ ନିଛାଟିଆ ସ୍ଥାନରେ ଦୁଇ ଚକିଆ ଯାନ ଅଟକାଇ ହେଲମେଟ୍, ଡ୍ରାଇଭିଂ ଲାଇସେନ୍ସ, ଇନ୍ସୁରାନ୍ସ ଇତ୍ୟାଦି ଯାଞ୍ଚ କରିଥିଲେ।

ଲୋକେ ହେଲମେଟ୍ ପିନ୍ଧି ନ ଥିବାରୁ ସେମାନଙ୍କ ଠାରୁ ୫୦୦ ଓ ୧୦୦୦ ଆଦାୟ କରୁଥିଲେ। ଏହି ଅଞ୍ଚଳର କେତେକ ସଚେତନ ନାଗରିକଙ୍କ ଏ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ସେମାନେ ଅନୁଗୋଳ ସଦର ଥାନା ଓ ବଅଁରପାଳ ଥାନାକୁ ଖବର ଦେଇଥିଲେ। ଉଭୟ ଥାନାର ପୋଲିସ ଘଟଣା ସ୍ଥଳକୁ ଆସିଥିଲେ। ପୋଲିସ ଗାଡି ଦେଖି ନକଲି କନଷ୍ଟେବଳ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। କିନ୍ତୁ ନକଲି ସବଇନ୍ସପେକ୍ଟରଙ୍କୁ ଅସଲି ପୋଲିସ ମାଡି ବସିଥିଲା।