ସୁବର୍ଣ୍ଣପୁର ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ; ବାହାରିଲେ ୧୦୮ଭରି ସ୍ଵର୍ଣ୍ଣନାଗ ପ୍ରତିମା

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ରେ ଆରମ୍ଭ ହେଲା ଶୀତଳ ଷଷ୍ଠୀ ଯାତ୍ରା। ଇଷ୍ଟଦେବ ସୁବର୍ଣ୍ଣମେରୁ ମହାପ୍ରଭୁଙ୍କ ବିବାହ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ୩୦ ତାରିଖ ରାତିରେ ମହାପ୍ରଭୁ ସୁବର୍ଣ୍ଣମେରୁ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଆଜି ସୁବର୍ଣ୍ଣମେରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖରଙ୍କ ୧୦୮ ଭରି ସ୍ୱର୍ଣ୍ଣ ନିର୍ମିତ ନାଗ, ରୂପା ନିର୍ମିତ ଛତ୍ର, ବିମାନ ସହ ଅନ୍ୟାନ୍ୟ ଅଳଙ୍କାର ଏବଂ ମା’ ପାର୍ବତୀଙ୍କର ବିମାନ, ଆୟୁଧ ଓ ଅଳଙ୍କାର ଟ୍ରେଜେରିରୁ ବାହାର କରାଯାଇଛି।

ଚଳିତ ବର୍ଷ ମା’ପାର୍ବତୀଙ୍କ ମାତାପିତା ଇତିଶ୍ରୀ ଓ ପ୍ରକାଶ ବିଦ୍ୟାଧର ଏବଂ ଚନ୍ଦ୍ରଶେଖର ମହାପ୍ରଭୁଙ୍କ ମାତାପିତା ଜ୍ୟୋତିର୍ମୟୀ ଓ ଶ୍ରୀକାନ୍ତ ମିଶ୍ରଙ୍କ ପରିବାର, ଦେବୋତ୍ତର ଅଧିକାରୀ ଡ.ସୌମ୍ୟରୂପା ରଥ, ଦେବୋତ୍ତର କମିଟି ସଭ୍ୟ ଶ୍ରୀବତ୍ସ ମଲ୍ଲିକ, ଶୀତଳଷଷ୍ଠୀ ଯାତ୍ରା କମିଟିର ସମ୍ପାଦକ ଗିରି ଗୋବର୍ଦ୍ଧନ ଥନାପତି, ସହସମ୍ପାଦକ ଲକ୍ଷ୍ମୀନରାୟଣ ଥନାପତି, ରାମଶଙ୍କର ସାହୁ, ସୁକାନ୍ତ ସାହୁ, ଫକୀର ଥନାପତି, ଅଚ୍ୟୁତ ଥନାପତି, ମାନସ ଥନାପତିଙ୍କ ସହ ସହର ର ଭକ୍ତ ପ୍ରମୁଖ ଟ୍ରେଜେରିକୁ ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା ପରେ ମହାପ୍ରଭୁଙ୍କ ଭୂଷଣ ଗୁଡ଼ିକୁ ସ୍ଥାନୀୟ ଚନ୍ଦ୍ରଶେଖର ମନ୍ଦିରକୁ ଅଣାଯାଇଛି।

ମନ୍ଦିରରେ ୨୦ କେଜି ଓଜନର ରୂପା ନିର୍ମିତ ବିମାନରେ ସ୍ୱର୍ଣ୍ଣ ନାଗ ପ୍ରତିମା ଅଧୁଷ୍ଠିତ ହୋଇ ପୂଜା ପାଉଛନ୍ତି। ଏହି ବିମାନରେ ପ୍ରଭୁ ଚନ୍ଦ୍ରଶେଖର ବିରାଜିତ ହୋଇ ଶୁକ୍ରବାର ବରଯାତ୍ରୀ ଯିବେ। ୩୧ ତାରିଖରେ କନ୍ୟାପିତାଙ୍କ ଘୋଡାଘାଟପଡା( ହିମାଦ୍ରିନଗର) ସ୍ଥିତ ଘରେ ଶିବପାର୍ବତୀଙ୍କ ଯୁଗଳ ଦର୍ଶନ ଏବଂ ଏପିଲ ୧ ତାରିଖ ସକାଳେ ଶିବପାର୍ବତୀଙ୍କ ସ୍ଵଗୃହ ପ୍ରତ୍ୟାବର୍ତ୍ତନ ଶାଭାଯାତ୍ରା ଅନୁଷ୍ଠିତ ହେବ। ପ୍ରଭୁ ଚନ୍ଦ୍ରଶେଖରଙ୍କ ଏହି ବିବାହ ବରଯାତ୍ରୀରେ ସୋନପୁର ର ଅଷ୍ଟବିଷ୍ଣୁ ଓ ଅଷ୍ଟଶମ୍ଭୁ ମଧ୍ୟ ସାମିଲ ହୋଇଥାନ୍ତି। ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସୋନପୁର ସ‌ହରରେ ଉତ୍ସବର ମାହୋଲ ଆରମ୍ଭ ହୋଇଛି।ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!