ଶୋଷ ମେଣ୍ଟେଇବାକୁ ପାଣି ନାହିଁ, ପାଣି କିଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକ।


ରାୟଗଡ଼ (ଗୋପୀନାଥ ଗୌଡ଼) :ଗ୍ରୀଷ୍ମ ଋତୁ ସରିବାକୁ ବସିଲାଣି, ଆଉ କିଛି ଦିନ ପରେ ମୌସୁମୀ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣି ପାଗ ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ରାୟଗଡ଼ ସହର ଜନଗହଳି ସ୍ଥାନ ଗୁଡିକରେ ଶୋଷ ମେଣ୍ଟେଇବାକୁ ପାଣି ଟୋପାଏ ମିଳୁନି, ବାଧ୍ୟ ହୋଇ ଲୋକେ ପାଣି କିଣି ପିଉଛନ୍ତି। ପ୍ରତ୍ୟେକ ଦିନ ରାୟଗଡ଼ ସହରକୁ ଜିଲ୍ଳାର ୧୦ ଗୋଟି ବ୍ଲକର ହଜାର ହଜାର ଲୋକ ନିଜ ନିଜର ଜରୁରି କାର୍ଯ୍ୟରେ ଆସି ଥାଆନ୍ତି। ସେଥି ମଧ୍ୟରୁ ସ୍ଵାସ୍ଥ୍ୟ ସମସ୍ୟା ନେଇ ମେଡିକାଲ କୁ, ଦୁର ଯାତ୍ରା କରିବା ପାଇଁ ବସ୍ ଷ୍ଟାଣ୍ଡ କୁ, ମାଲି ମକଦ୍ଧମା ନିମନ୍ତେ କୋର୍ଟକୁ, ଟଙ୍କା ଜମା କରିବା ଓ ଟଙ୍କା ଉଠାଇବା ପାଇଁ ଷ୍ଟେଟ ବ୍ୟାଙ୍କକୁ ଏବଂ ଜରୁରି ଜିନିଷ କିଣା ବିକା କରିବା ପାଇଁ ବଜାରକୁ ଆସନ୍ତି। ଏପରିକି ରବିବାର ଓ ବୁଧୁବାର ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ମା ମଝି ଘରିଆଣିଙ୍କ ଦର୍ଶନ କରିବା ପାଇଁ ଆସନ୍ତି।

ପୌର ପରିଷଦ ପକ୍ଷରୁ ସହର ବିଭିନ୍ନ ଜନ ଗହଳି ପୂର୍ଣ୍ଣ ସ୍ଥାନ ଗୁଡିକରେ ପିଇବା ପାଣିର ବ୍ୟବସ୍ଥା କରାଯାଇ ନାହିଁ। ଏଥି ପୂର୍ବରୁ ସ୍ଥାନେ ସ୍ଥାନେ ଯେଉଁ ଫ୍ରିଜ ଗୁଡ଼ିକ ରଖାଯାଇଥିଲା ସେହି ଭରସାରେ ଚୁପ୍ ହୋଇ ବସିଛି ପୌର ପରିଷଦ। ଏ ନେଇ ଆମ ପ୍ରତିନିଧି ଗୋପିନାଥ ଗୌଡ଼ ପୌର ନିର୍ବାହୀ ଅଧିକାରୀ କୁଳଦିପ ନାୟକ ଙ୍କୁ ପଚାରି ବୁଝିବାରୁ ସେ କହିଥିଲେ ଯେ, ରାୟଗଡ଼ ସହର ର ୩୩ଗୋଟି ସ୍ଥାନରେ ଫ୍ରୀଜ ଗୁଡ଼ିକ ଲାଗିଛି। ସବୁ ଫ୍ରୀଜ୍ ଗୁଡ଼ିକ ଚାଲିଛି, ମୁଁ ନିଜେ ଯାଇ ବୁଲି ଦେଖିଛି। ଯଦି ପାଣି ସମସ୍ୟା ରହିଛି ପୌରାଧ୍ୟକ୍ଷଙ୍କୁ କୁହନ୍ତୁ ସେ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି। ଏହି ଫ୍ରିଜ ଗୁଡ଼ିକ ଠିକ୍ ଭାବେ ଚାଲିଛି ବୋଲି ଜଳଛତ୍ରର ବ୍ୟବସ୍ତା କରାଯାଇ ନାହିଁ। କିନ୍ତୁ,ବାସ୍ତବ ଚିତ୍ର ଏହା ଯେ କୋରାପୁଟ ଛକ, ନୁଆ ବସ୍ ଷ୍ଟାଣ୍ଡ, ସାରଳା ଛକ, ଦୈନିକ ବଜାର, ଷ୍ଟେଟ୍ ବ୍ୟାଙ୍କ ଛକ, ମେଡିକାଲ ଛକ ଏବଂ ଜଗନ୍ନାଥ୍ ମନ୍ଦିର ଏହିସବୁ ସ୍ଥାନ ଗୁଡିକରେ ହାଣ୍ଡିଏ ପାଣି ମଧ୍ୟ ପୌର ପରିଷଦ ପକ୍ଷରୁ ବ୍ୟବସ୍ଥା କରା ଯାଇନାହିଁ।

ସକାଳ ହେଲେ ନିଜ ନିଜର କର୍ଯ୍ୟରେ ଗାଁ ଗହଳିରୁ ଆସୁଥିବା ଲୋକେ ଟୋପାଏ ପାଣି ପାଇଁ ହା ହା ହୋଇ ଦୋକାନରୁ ପାଣି କିଣି ପିଇବାକୁ ବାଧ୍ୟ ହେଉଛନ୍ତି। ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ଅଂଶୁଘାତ ଏଡ଼ାଇବା ପାଇଁ ଜିଲ୍ଲାପାଳ ପାରୁଲ ପଟୱାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ପ୍ରସ୍ତୁତି ବୈଠକରେ ଜନ ଗହଳି ସ୍ଥାନ ଗୁଡିକରେ ଜଳଛତ୍ର ବ୍ୟବସ୍ଥା କରିବାକୁ ଗୁରୁତ୍ୱାରୋପ କରା ଯାଇଥିଲା। ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ ଜନ ଗହଳି ସ୍ଥାନଗୁଡିକରେ ପିଇବା ପାଣିର ବ୍ୟବସ୍ଥା କରିବାକୁ। କିନ୍ତୁ ,ପୌର ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ନିର୍ଦ୍ଧେଶକୁ ଅଣଦେଖା କରୁଥିବା ନଜିରକୁ ଆସୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *

error: Content is protected !!