ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ତ୍ରିବେଣୀ ସଙ୍ଗମ ରାମେଶ୍ୱର ଶୈବପୀଠ ଠାରେ କାଉଡ଼ିଆଙ୍କ ବୋଲବମ ଧ୍ବନିରେ ପ୍ରକମ୍ପିତ ହୋଇଉଠିଛି। ଆଜି ଭୋର ୪ ଟାରୁ ମନ୍ଦିର ଖୋଲା ହୋଇ ମହାଦେବଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ମହିଲା ଓ ପୁରୁଷ କାଉଡ଼ିଆ ମାନେ ଗେରୁଆ ବସ୍ତ୍ର ପରିଧାନ କରି ଓ ବାହୁଙ୍ଗୀରେ ଜଳଭାର ଧରି ବୋଲବମ ଧ୍ବନିରେ ମନ୍ଦିର ପରିସରକୁ ଏକ ଆଧ୍ୟାତ୍ମିକ ପରିବେଶରେ ବାବା ରାମେଶ୍ୱରଙ୍କ ଠାରେ ଜଳଲାଗି କରିଥିଲେ।
ବହୁ ଦୁରଦୁରାନ୍ତ ମହାଦେବଙ୍କ ଦୁର୍ଲଭ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ସମାଗମ ହୋଇଥିବା ଦେଖିବାକୁ ମିଲିଥିଲା। ସମସ୍ତ ଭକ୍ତଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା ହୋଇଥିଲା।ଶାନ୍ତି ଶୃଙ୍ଖଳାର ପାଇଁ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ମାନେ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିବା ବେଳେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ମୁତୟନ ହୋଇଥିଲେ। ସେହିପରି ଜିଲ୍ଲାର ବୀରମହାରାଜପୁର, ଉଲୁଣ୍ଡା, ତରଭା ବିନିକା,ବ୍ଲକର ବିଭିନ୍ନ ଶୈବପୀଠ ମାନଙ୍କରେ ବହୁ ସଂଖ୍ୟକ ବୋଲବମ୍ ଭକ୍ତ ଜଳଲାଗି କରିଥିଲେ।ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ