ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ସାମାନ୍ୟ ବର୍ଷା ହେଲେ ପୋଲ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି।ଯାହା ଫଳରେ ଯିବା ଆସିବାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅଧିନସ୍ତ ଗୁଲାପଡ଼ା ଗ୍ରାମରେ ।ମୁଖ୍ୟ ରାସ୍ତା ଠାରୁ ଯୋଗେଶ୍ୱର ମନ୍ଦିର ଦେଇ ଉକ୍ତ ଗ୍ରାମକୁ ଗଲେ ଏକ ପୋଲ ରହିଛି। ସାମାନ୍ୟ ବର୍ଷା ହେଲେ ଅଥବା ଯଦି ମହାନଦୀରେ ବନ୍ୟା ପାଣି ପ୍ରବାହିତ ହୁଏ ତେବେ ଉକ୍ତ ପୋଲ ଉପରେ ପାଣି ପ୍ରବାହିତ ହେବାର ଦେଖିବାକୁ ମିଳେ।
ଫଳରେ ଅଂଚଳର ଜନସାଧାରଣ ଯା ଆସ କରି ନପାରି ବେଲପଡ଼ା ଛକ ଦେଇ ବୁଲିବାକୁ ପଡେ ।ଏହି ସମସ୍ୟା ଆଜିର ନୁହେଁ।ଏହା ଦୀର୍ଘ ବର୍ଷ ହେଲା ଲାଗି ରହିଛି।ହେଲେ ଉଚ୍ଚ ପୋଲ ଟିଏ ନିର୍ମାଣ ହୋଇ ପାରୁନାହିଁ ।ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି ନା ଶୁଣିଛି ପ୍ରଶାସନ ନା ଶୁଣୁଛନ୍ତି ଜନପ୍ରତିନିଧି ।କେହି ବି ଦୃଷ୍ଟି ଦେଉନାହାନ୍ତି ।ଫଳରେ ବର୍ଷା ମାସ ଆସିଲେ ଗ୍ରାମବାସୀଙ୍କୁ ଯିବା ଆସିବା ନେଇ ସମସ୍ୟା ଭୋଗିବାକୁ ପଡ଼ିଥାଏ ତେଣୁ ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବୀ ଏହି ପୋଲ ଉପରେ ଉଚ୍ଚ ପୋଲ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।