ଦୀପାବଳି ପର୍ବ ଉପଲକ୍ଷେ ଦୀପ ପ୍ରସ୍ତୁତିରେ ବ୍ୟସ୍ତ କୁମ୍ଭକାର

ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ): ଆଲୋକର ପର୍ବ ଦୀପାବଳି ଆସନ୍ତା ୨୦ ତାରିଖ ସୋମବାର ଦିନ ପାଳନ ହେବାକୁ ଯାଉଥିବା ବେଳେ ବୁଗୁଡ଼ା ଅଞ୍ଚଳର ବହୁ କୁମ୍ଭକାର ପରିବାର ମାଟି ଦୀପ ତିଆରିରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି । ପୂର୍ବ ପୁରୁଷରୁ ମାଟିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିକୁ କୌଳିକ ବୃତ୍ତି ଭାବେ ଆପଣାଇ ନେଇଥିବା କୁମ୍ଭକାରଙ୍କ ବେଉସା ଆଧୁନିକତାରପ୍ରଭାବରେ ହଜିନଯାଇ ଅଦ୍ୟାବଧି ବଞ୍ଚିରହିଛି । ପୂର୍ବରୁ ମାଟି ପାତ୍ରର ଚାହିଦା ଯଥେଷ୍ଟ ଅଧିକ ଥିଲା ଏବଂ ରୋଷେଇ ପାଇଁ ଆବଶ୍ୟକ ମାଟି ପାତ୍ର ଠାରୁ ଆରମ୍ଭ କରି ହାଣ୍ଡି, ମାଠିଆ, ସୁରେଇ ଆଦି ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି କୁମ୍ଭକାର ପରିବାର ବେଶ୍ ଦୁଇ ପଇସା ରୋଜଗାର କରି କୁଟୁମ୍ବର ଗୁଜରାଣ ମେଣ୍ଟାଇବା ପାରୁଥିଲା ।

ସମୟାନୁକ୍ରମେ ଆଧୁନିକ ମଣିଷର ରୁଚିରେ ମଧ୍ଯ ପରିବର୍ତ୍ତନ ଦେଖା ଦେଲାଣି । ଏବେ ରୋଷେଇ ପାଇଁ ସାଧାରଣ ଲୋକେ ମାଟି ପାତ୍ରକୁ ଭୁଲି ବିଭିନ୍ନ ଧାତୁରେ ନିର୍ମିତ ବାସନ କୁସନ ବ୍ୟବହାର କରିବାକୁ ପସନ୍ଦ କଲେଣି । ଏଭଳି ପରିସ୍ଥିତରେ କୁମ୍ଭକାରଙ୍କ ବୃତ୍ତି ପ୍ରତି ସଙ୍କଟ ସୃଷ୍ଟି ହୋଇଛି । ତଥାପି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାପାଇଁ ଏବେ ସୁଦ୍ଧା ସଙ୍ଘର୍ଷ ଜାରି ରଖିଛନ୍ତି କୁମ୍ଭକାର ପରିବାର । ବିଶେଷକରି ପର୍ବପର୍ବାଣୀରେ କୁମ୍ଭକାରଙ୍କୁ ସାଧାରଣ ଲୋକେ ମନେ ପକାଇଥାନ୍ତି । ସେମାନଙ୍କ ଦ୍ବାରା ପ୍ରସ୍ତୁତ ଏମିତି କିଛି ସାମଗ୍ରୀ ରହିଛି ଯାହାକି ପୂଜା ବ୍ରତ ସକାଶେ ନିହାତି ଜରୁରୀ । ଓଡ଼ିଆଙ୍କ ଅଧିକାଂଶ ପର୍ବପର୍ବାଣୀରେ ମାଟି ହାଣ୍ଡିର ଆବଶ୍ୟକତା ରହିଥିବା ବେଳେ ଏବେବି କିଛି ଗ୍ରାମାଞ୍ଚଳର ଲୋକେ ରୋଷେଇ ସକାଶେ ମାଟି ହାଣ୍ଡି ବ୍ୟବହାର କରିଥାନ୍ତି ।

ବିଜ୍ଞାନ ଯୁଗରେ ଆଲୋକର ପର୍ବ ଦୀପାବଳି ପାଳନ ସକାଶେ ରଙ୍ଗ ବେରଙ୍ଗର ମହମବତୀ ମିଳୁଥିଲେ ମଧ୍ୟ ମାଟି ଦୀପର ଚାହିଦା ଏବେ ବି ରହିଛି । ବର୍ଷ ତମାମ ବେକାରରେ ରହୁଥିବା କୁମ୍ଭକାର ପରିବାରଙ୍କ ପାଇଁ ଦୀପାବଳି ପର୍ବ ରୋଜଗାର ସୃଷ୍ଟି କରିଥାଏ।ଦୀପାବଳିର ମାସକ ପୂର୍ବରୁ କୁମ୍ଭକାର ପରିବାରର ସମସ୍ତ ସଦସ୍ୟ ଲାଗି ପଡ଼ିଥାନ୍ତି ମାଟି ଦୀପ ପ୍ରସ୍ତୁତିରେ । ବୁଗୁଡା ବ୍ଳକର ଗୋଳାବନ୍ଧ ପଞ୍ଚାୟତ ଅନ୍ତର୍ଗତ ବେତାରସିଙ୍ଗି ଗ୍ରାମରେ ରହୁଥ‌ିବା ଗୋପୀନାଥ ବେହେରା, ବୁଲୁ ବେହେରା, ଆଦିକନ୍ଧ ବେହେରା, ଗୋବିନ୍ଦ ବେହେରା, ଅଶୋକ ବେହେରା ଆଦି କୁମ୍ଭକାର ପରିବାର ଏବେ ମାଟି ଦୀପ ତିଆରିରେ ବ୍ୟସ୍ତ ଥୂବା ଦେଖୁବାକୁ ମିଳୁଛି । ତେବେ ମାଟିରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାକୁ ବୃତ୍ତି ଭାବେ ଆଦରି ନେଇଥିବା କୁମ୍ଭକାର ପରିବାରଙ୍କ ପାଇଁ ସରକାର କୌଣସି ପ୍ରକାର ଯୋଜନା କାର୍ଯ୍ୟକାରୀକରିନଥୁବାରୁ ଏହି ବୃତ୍ତି ଆଗାମୀ ଦିନରେ ଲୋପ ପାଇବା ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ ବୋଲିବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat