ବ୍ରିଜ ତଳକୁ ଖସିଲା ବସ, ୧୪ଯାତ୍ରୀ ଆହତ,ଗୁରୁତର ୫ଜଣ ଯାତ୍ରୀଙ୍କୁ ବୁର୍ଲା ସ୍ଥାନାନ୍ତରିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ):ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଙ୍ଗିଯୁବା ଠାରେ ଆଜି ଭୋର ସକାଳେ ଏକ ଯାତ୍ରୀବାହୀ ବସ ରାସ୍ତାରେ ଯାଉଥିବା ବେଳେ ହଠାତ ବ୍ରିଜ ତଳକୁ ଖସି ପଡିଥିଲା ଫଳରେ ବସରେ ଥିବା ପ୍ରାୟ ୪୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ୫ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି l ଖବରରୁ ପ୍ରକାଶ ଯେ ଭୁବନେଶ୍ବରରୁ ପଦ୍ମପୁର ଦୀପ୍ତିପୁରକୁ ଯାଉଥିବା ଭୋଲାନାଥ ବସ (ଓଡି ୩୧ କେ ୯୦୯୯) ସକାଳ ସାଢେ ପାଞ୍ଚଟା ବେଳକୁ ବସଟି ସିଂହୀଯୁବା ନାଳ ବ୍ରିଜରେ ଧକ୍କା ହୋଇ ନାଳ ତଳକୁ ଓଲଟି ପଡିଥିଲା।

ଗାଡ଼ି ଧକ୍କା ହୋଇ ଓଲଟି ପଡ଼ିବାର ଶଦ୍ଧ ହେବାପରେ ଆଖ ପାଖ ଲୋକେ ଘଟଣା ସ୍ଥଳକୁ ଆସି ଯାତ୍ରୀଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ି ଅଗ୍ନିଶମ ବିଭାଗ ଓ ପୋଲିସ ବିଭାଗ,ସ୍ୱାସ୍ଥ୍ୟ ବିଭାଗକୁ ଖବର ଦେଇଥିଲେ। ତ୍ୱରିତ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଆମ୍ବୁଲାନ୍ସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ବିନିକା ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା। ବସରେ ଯାତ୍ରୀ ସଂଖ୍ୟା ପାଖାପାଖି ଚାଳିଶ ଥିବା ବେଳେ ସେଥିରୁ ପ୍ରାୟ ୧୪ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ବିନିକା ଡାକ୍ତରଖାନାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ପହଞ୍ଚି ଆହତଙ୍କ ଅବସ୍ତା ଦେଖି ସମସ୍ତ ସୁବିଧା ପାଇଁ ପଦକ୍ଷେପମାନ ଗ୍ରହଣ କରି ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ଡାକ୍ତରଖାନା କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଆଜି ଅତ୍ୟନ୍ତ ଘନ କୁହୁଡି ଥିବାରୁ ବୋଧେ ଏପରି ଦୁର୍ଘଟଣା ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *

error: Content is protected !!