ଜଙ୍ଗଲ ଭିତରୁ ୨୦ ଟନ୍ ହାଇଗ୍ରେଡ ଲୁହା ପଥର ଜବତ, ଜଣେ ଗିରଫ


କେନ୍ଦୁଝର/ବଡ଼ବିଲ(ସୀତାରାମ ଦୀକ୍ଷିତ) :ବାମେବାରୀ ନିକଟସ୍ଥ ଚଡ଼କମରା ହୁଡ଼ି ଅଞ୍ଚଳରେ ଚାଲିଥିବା ବେଆଇନ ଖଣିଜ ଉତ୍ତୋଳନ ଉପରେ ବଡ଼ ଧରଣର ଚଢାଉ କରାଯାଇଛି। ଖଣି ବିଭାଗ ଓ ବନ ବିଭାଗର ସଂଯୁକ୍ତ ଟିମ୍ ଦ୍ୱାରା ହୋଇଥିବା ଏହି ଚଢାଉରେ ଜଙ୍ଗଲ ଭିତରୁ ପ୍ରାୟ ୨୦ ଟନ୍ ହାଇଗ୍ରେଡ ଲୁହା ପଥର ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ବେଆଇନ ଭାବେ ଖଣିଜ ଉତ୍ତୋଳନ ଚାଲିଥିବା ନେଇ ଅଭିଯୋଗ ମିଳୁଥିଲା। ଗୁପ୍ତ ସୂଚନା ଆଧାରରେ ଆଜି ଖଣି ଓ ବନ ବିଭାଗ ପକ୍ଷରୁ ଆକସ୍ମିକ ଚଢାଉ କରାଯାଇଥିଲା।

ଚଢାଉ ସମୟରେ ଜଙ୍ଗଲ ମଧ୍ୟରେ ମଜୁତ ରଖାଯାଇଥିବା ଉଚ୍ଚ ଗୁଣମାନର ଲୁହା ପଥର ଧରାପଡ଼ିଥିଲା। ଏହି ଘଟଣାରେ ବେଆଇନ ଖଣିଜ ଉତ୍ତୋଳନ ସହ ଜଡିତ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ, ତାଙ୍କୁ ପଚରାଉଚରା ଜାରି ରହିଛି। ଘଟଣା ସହିତ ଅନ୍ୟ କେହି ଜଡିତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଚାଲିଛି। ବେଆଇନ ଖଣିଜ ଉତ୍ତୋଳନ ଯୋଗୁଁ ପରିବେଶ ଓ ଜଙ୍ଗଲ ସମ୍ପଦରେ ଭାରି କ୍ଷତି ହେଉଥିବାରୁ ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ଏଭଳି ଚଢାଉ ଆହୁରି କଢ଼ାକରା ହେବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!