ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲସ୍ କଲେଜ ପରିସରରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ସହଯୋଗରେ ‘ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ’ ପକ୍ଷରୁ ଏକଭବ୍ୟ ପୁସ୍ତକ ଉନ୍ମୋଚନ, ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଗୌରୀପତି ଦାଶଙ୍କ ସଭାପତିତ୍ୱ ଓ ଡ. ଶ୍ୟାମା ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱର୍ଗତ ପ୍ରଶାନ୍ତ ନନ୍ଦଙ୍କ ସ୍ମୃତିରେ ଶୋକସଭା ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ. ପୁରୁଷୋତ୍ତମ ମିଶ୍ର ଏବଂ ବରେଣ୍ୟ ଅତିଥି ଭାବେ ସୁଶାନ୍ତ ଦାଶ, କୃତ୍ତିବାସ ବିଶ୍ୱାଳ, ଡ. ରୋଜାଲିନି ସେନାପତି ଓ ପ୍ରମୋଦ ଚନ୍ଦ୍ର ପାଢ଼ୀ ପ୍ରମୁଖ ଯୋଗଦେଇ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାରରେ ବୁଗୁଡ଼ାର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ଡ. ଲକ୍ଷ୍ମୀନାରାୟଣ ଦାଶ ଓ ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର ଆଲୋଚକ ଭାବେ ଯୋଗ ଦେଇଥିଲେ।ଉନ୍ମୋଚିତ ପୁସ୍ତକଗୁଡ଼ିକ ‘ମୁଁ ଏବଂ ମୋ କବିତା’ ଡ. ଶ୍ୟାମା ପ୍ରସାଦ ମିଶ୍ର,’ସଂସ୍କୃତି ସଞ୍ଚୟନ’ ବୈଷ୍ଣବ ଚରଣ ଦାଶ,’ବୋଉ’ ଓ ‘କୃଷ୍ଣ ପ୍ରେୟସୀ’ ଡ. ରୋଜାଲିନି ସେନାପତି,’ଆମ ପୌରାଣିକ ଚରିତ୍ର’ ଇଂ. ପ୍ରସନ୍ନ କୁମାର ଦାଶ lଏହି ସମାରୋହରେ କୃତୀ ଛାତ୍ରଛାତ୍ରୀ ରୁଚିକା ଗୌଡ଼ ଓ ରୁଦ୍ର ପ୍ରତାପ ବିଷୋୟୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାଙ୍କୁ ‘ବିକ୍ଷିପ୍ତା ସମ୍ମାନ’, ‘ଭଞ୍ଜ ସୌରଭ’ ଓ ‘ନାରୀ ପ୍ରତିଭା’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ଡ. ସଞ୍ଜୟ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ. ହିମାଂଶୁ ଶେଖର ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସମସ୍ତ କବି, କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
