ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସାରା ରାଜ୍ୟରେ ଜାନୁଆରୀ ୧୮ ତାରିଖ ଦିନ ପକ୍ଷୀ ଗଣନା ଅନୁଷ୍ଠିତ ହୋଇଯାଇଥିବା ବେଳେ, ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳରେ ମଧ୍ୟ ଏହି ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଛି। ଆଜି ସକାଳ ୬ ଘଣ୍ଟା ଠାରୁ ପୂର୍ବାହ୍ନ ୧୧ ଘଣ୍ଟା ପର୍ଯ୍ୟନ୍ତ ବନାଞ୍ଚଳର ବିଭିନ୍ନ ପ୍ରମୁଖ ଜଳାଶୟ ଗୁଡ଼ିକରେ ଏହି ଗଣନା କାର୍ଯ୍ୟ କରାଯାଇଥିଲା।ବୁଗୁଡା ବନାଞ୍ଚଳର ପ୍ରାୟ ୧୨ ଟି ଜଳାଶୟ ନିକଟରେ ଗଣନା କରାଯାଇଛି।ଗତବର୍ଷ ଅପେକ୍ଷା ଚଳିତ ବର୍ଷ ବୁଗୁଡା ଅଞ୍ଚଳରେ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି।
ବୁଗୁଡ଼ା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନ ବିଭାଗ କର୍ମଚାରୀମାନେ ଏହି ଗଣନା କାର୍ଯ୍ୟରେ ନିୟୋଜିତ ଥିଲେ।ସୂଚନାଯୋଗ୍ୟ ଯେ, ବୁଗୁଡା ବନାଞ୍ଚଳରେ ଦେଖାଯାଇଥିବା ବିଭିନ୍ନ ପ୍ରଜାତିର ପକ୍ଷୀ ଏବଂ ସେମାନଙ୍କର ସଠିକ୍ ମୋଟ ସଂଖ୍ୟା ସମ୍ପର୍କରେ ଭଞ୍ଜନଗର ଦକ୍ଷିଣ ବନଖଣ୍ଡ ଅଧିକାରୀ ଆନୁଷ୍ଠାନିକ ଭାବେ ଘୋଷଣା କରିବେ। ପରିବେଶ ସନ୍ତୁଳନ ରକ୍ଷା କ୍ଷେତ୍ରରେ ପକ୍ଷୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ, ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବା ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି।
