କେନ୍ଦୁଝର /ଯୋଡ଼ା (ସୀତାରାମ ଦୀକ୍ଷିତ) : ଋତୁ ପରିବର୍ତ୍ତନ ସହିତ ମାର୍କେଟ୍ରେ ଆସିଛି କେନ୍ଦୁଝରର ପ୍ରସିଦ୍ଧ ଗିଲିରୀ ଫୁଲ। ଯୋଡ଼ା ମାର୍କେଟ୍ରେ ଏବେ ଏହି ବେଗୁନିଆ ରଙ୍ଗର ଗିଲିରୀ ଫୁଲ ୨୦ ଟଙ୍କାରେ ଏକ ଭାଗରେ ବିକ୍ରି ହେଉଛି। ସକାଳୁ ସକାଳୁ ଗ୍ରାମଞ୍ଚଳରୁ ଆଣିଥିବା ତାଜା ଫୁଲ ଦେଖି କ୍ରେତାମାନଙ୍କ ଭିଡ଼ ଲାଗିଥିବା ଦେଖାଯାଉଛି।ସ୍ଥାନୀୟ ବ୍ୟବସାୟୀମାନଙ୍କ କହିବା ଅନୁସାରେ, ଗିଲିରୀ ଫୁଲର ଚାହିଦା ପୂଜା ପାଠ ଓ ଖାଦ୍ୟ ପାଇଁ ବେଶି ଥାଏ। ବିଶେଷ କରି ଶିବ ମନ୍ଦିରରେ ପୂଜା ପାଇଁ ଏହାର ବ୍ୟବହାର ଅଧିକ ହେଉଥିବାରୁ ଭକ୍ତମାନେ ଅଧିକ ପରିମାଣରେ କିଣୁଛନ୍ତି।
ତଥାପି ଅନେକ ଘରେ ଏହି ଫୁଲର ତରକାରୀ ଓ ଭଜା ମଧ୍ୟ ପ୍ରସ୍ତୁତ କରାଯାଉଥିବାରୁ ଘରୋଇ କ୍ରେତାମାନଙ୍କ ଆଗ୍ରହ ବଢ଼ିଛି।ଗ୍ରାମାଞ୍ଚଳର ମହିଳାମାନେ ପ୍ରତିଦିନ ସକାଳେ ଜଙ୍ଗଲ ଓ ଗଛଠାରୁ ଫୁଲ ସଂଗ୍ରହ କରି ମାର୍କେଟ୍କୁ ଆଣୁଛନ୍ତି। ସେମାନଙ୍କ ପାଇଁ ଏହା ଏକ ଅତିରିକ୍ତ ଆୟର ଉତ୍ସ ହୋଇପାରିଛି। “ଏହି ସମୟରେ ଗିଲିରୀ ଫୁଲ ଭଲ ହୁଏ, ତେଣୁ ଆମେ ପ୍ରତିଦିନ ଆଣି ବିକ୍ରି କରୁଛୁ,” ବୋଲି ଜଣେ ବିକ୍ରେତ୍ରୀ କହିଛନ୍ତି।ପ୍ରକୃତି ପ୍ରେମୀ ଓ ବୃଦ୍ଧମାନଙ୍କ ପାଇଁ ଗିଲିରୀ ଫୁଲ ମାଟିର ସ୍ମୃତି ସହ ଜଡିତ। ଗାଁଘରର ପୁରୁଣା ଦିନ ଓ ପରମ୍ପରାକୁ ମନେ ପକାଇ ଦେଉଥିବା ଏହି ଫୁଲ ଏବେ ମାର୍କେଟ୍ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି।ସ୍ଥାନୀୟ ଲୋକମାନଙ୍କ ମତାନୁସାରେ, ଆସନ୍ତା କିଛି ଦିନ ମଧ୍ୟରେ ଚାହିଦା ଆହୁରି ବଢ଼ି ପାରେ। ତେଣୁ ଯୋଡ଼ା ମାର୍କେଟ୍ରେ ଗିଲିରୀ ଫୁଲର ବ୍ୟବସାୟ ଏବେ ଡିମାଣ୍ଡ ନେଉଛି।
