ବୁଗୁଡ଼ା ଥାନାରେ ଅଧିକାରୀ ମରୁଡି,ତୁରନ୍ତ ପ୍ରତିକାର ଦାବି

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଥାନା ଅଧୀନରେ ବୁଗୁଡା ଏନଏସି ଓ ବ୍ଲକର ୨୧ ପଞ୍ଚାୟତ ସମେତ ଆସ୍କା ବ୍ଲକର ଗହଙ୍ଗୁ ଠାରୁ ଜଗନ୍ନାଥପ୍ରସାଦ ବ୍ଲକର ନିମପଦର ଏବଂ ନୟାଗଡ ରାସ୍ତାରେ କରସିଂର ଚୈତନ୍ୟ ପ୍ରସାଦ ପର୍ଯ୍ୟନ୍ତ ୫୦୩ ବର୍ଗ କିଲୋମିଟର ପରିବ୍ଯାପ୍ତ ଅଞ୍ଚଳ ଥିବାବେଳେ ଏହି ଥାନା ଉପରେ ଅଢେଇ ଲକ୍ଷରୁ ଉର୍ଦ୍ଧ୍ବ ଜନସାଧାରଣ ନିର୍ଭର କରୁଛନ୍ତି। ତେବେ ବୁଗୁଡା ଥାନା ଇଲାକାରେ ଅଧିକାରୀଙ୍କ ମରୁଡ଼ି ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡୁଛି । ଗତବର୍ଷ ବୁଗୁଡ଼ା ଥାନାରେ ୮୩୨ଟି ମାମଲା ରୁଜୁହୋଇଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ୧୨୧ଟି ମାମଲା ପଞ୍ଜିକୃତ ହୋଇ ସାରିଲାଣି ।

ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପାଇଁ ବୁଗୁଡ଼ା ସହରରେ ଏକ ଥାନା ସାଙ୍ଗକୁ ବାଲିପଦରଠାରେ ଏକ ପୋଲିସ ଫାଣ୍ଡି ପ୍ରତିଷ୍ଠା ହୋଇଛି। ତେବେ ଥାନା ଓ ଫାଣ୍ଡିରେ କର୍ମଚାରୀ ମରୁଡି ଯୋଗୁଁ ଲୋକଙ୍କୁ ନ୍ୟାୟ ମିଳିବାରେ ଅହେତୁକ ବିଳମ୍ବ ହେଉଥୁବାର ଅଭିଯୋଗ ହେଉଛି ।ଏହି ଅଞ୍ଚଳ ଦେଇ ୩୩ ନମ୍ବର ରାଜ୍ୟରାଜପଥ ଯାଇଥୁବା ବେଳେ ଦିନକୁ ଦିନ ଚୋରି ରାହାଜାନି ବୃଦ୍ଧି ଘଟୁଛି। ଆବଶ୍ୟକୀୟ ଅଧିକାରୀ ଅଭାବରୁ ପାଟ୍ରୋଲିଂ ବ୍ୟବସ୍ଥା ଠିକ୍ ଭାବରେ ହୋଇପାରୁନି ।

ବୁଗୁଡ଼ା ଥାନାରେ ଜଣେ ଅତିରିକ୍ତ ଆଇଆଇସିଙ୍କ ସମେତ ୩ ଜଣ ସବଇନ୍ସପେକ୍ଟର, ଜଣେ ଏଏସଆଇ, ଜଣେ ହାବିଲଦାର, ୩ଟି ପୋଲିସ କନଷ୍ଟେବଲ ଓ ୩ଟି ଓଏପିଫ କନଷ୍ଟେବଲ ମିଶି ମୋଟ ୧୨ଟି ପଦବୀ ଖାଲି ପଡ଼ିଥିବାବେଳେ ବାଲିପଦର ଫାଣ୍ଡିରେ ଜଣେ ଏଏସଆଇ, ଜଣେ ହାବିଲଦାର ଓ ୨ଟି କନଷ୍ଟେବଲ ପଦବୀ ଖାଲି ପଡିଛି । ଦୀର୍ଘ ଦିନ ହେଲା ଏହି ସବୁ ପଦବୀ ଖାଲି ପଡିଥିବାରୁ ତଦନ୍ତ ଆଶାନୁ ରୂପ ଆଗେଇ ପାରୁନଥିବା ବେଳେ ଯଥା ସମୟରେ ଲୋକଙ୍କୁ ନ୍ୟାୟ ମିଳୁ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏଣୁ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବୁଗୁଡା ଥାନା ଇଲାକାରେ ଦେଖା ଦେଇଥିବା ଅଧିକାରୀ ମରୁଡିର ପ୍ରତିକାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *

error: Content is protected !!