କର୍ଣ୍ଣାଟକ/ହୋସାପେଟେ (ଶ୍ରୀକ୍ଷେତ୍ରନ୍ୟୁଜ଼ ବ୍ୟୁରୋ) : କର୍ଣ୍ଣାଟକର ଐତିହାସିକ ବିଜୟନଗର ସାମ୍ରାଜ୍ୟ (ବର୍ତମାନର ବିଜୟନଗର ଜିଲ୍ଲା)ର ହୋସାପେଟ ସହରରେ ପ୍ରତିଷ୍ଠିତ ଓଡ଼ିଆ ଅନୁଷ୍ଠାନ ‘ହୋସା’ ତରଫରୁମହା ଆଡମ୍ବରରେ ପାଳିତ ହୋଇଯାଇଛି ଅନୁଷ୍ଠାନର ଦଶମ ବାର୍ଷିକ ଉତ୍କଳ ଦିବସ। ହୋସା ଟ୍ରଷ୍ଟ ଦ୍ୱାରା ହୋସପେଟେର ପ୍ରତିଷ୍ଠିତ ହୋଟେଲ ମଲ୍ଲିଗୀରେ ଉତ୍କଳ ଦିବସ ତଥା ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ଟ୍ରଷ୍ଟର ସଭାପତି ମାନସ ରଞ୍ଜନ ଦାସ ସଭାପତିତ୍ୱ କରିଥିବାବେଳେ ଜିନ୍ଦଲ ଷ୍ଟିଲର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ରୀ ଦେବାଶିଷ ମିଶ୍ର ମୁଖ୍ୟଅତିଥି ଭାବେ ମଞ୍ଚାସୀନ ଥିଲେ।
ଏସ.ଏଲ.ଆର ଷ୍ଟିଲର ସୁରକ୍ଷା ଉପାଧ୍ୟକ୍ଷ ଶ୍ରୀ ଆଶିଷ କୁମାର ପଣ୍ଡା ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ଇତିହାସ, ଜଗନ୍ନାଥ ସଂସ୍କୃତି, ଗୌରବ ଓ ରାଜ୍ୟକୁ ପ୍ରତିଷ୍ଠିତ କରିଥିବା ମହାମନୀଷୀଙ୍କ ଉପରେ ଆଲୋକପାତ କରାଯାଇଥିଲା। ପରେ ଅତିଥିମାନଙ୍କ କରକମଳରେ ନୃତ୍ୟ, ଓଡ଼ିଆ ଝୋଟି, ମିଠା ପିଠା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସୁଦୂର କର୍ଣ୍ଣାଟକରେ ଓଡିଶୀ ଓ ଅନ୍ୟ ଓଡ଼ିଆ ସଂଗୀତ ଓ ନୃତ୍ୟ ସମସ୍ତେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ହୋସା ଟ୍ରଷ୍ଟ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ପ୍ରତିଷ୍ଠିତ କରିବା ପାଇଁ ଚେଷ୍ଟା କରିଚାଲିବ ବୋଲି ସମସ୍ତ ସଦସ୍ୟ ଦୃଢୋକ୍ତି ପ୍ରକାଶ କରିଥିଲେ। ଟ୍ରଷ୍ଟ ଦ୍ୱାରା ମହାପ୍ରଭୁଙ୍କ ରଥଯାତ୍ରା ସହିତ ଅନ୍ୟାନ୍ୟ ଓଡ଼ିଆ ପର୍ବ ପର୍ବାଣି ମହାଆଡମ୍ବର ରେ ପାଳନ କରାଯାଏ।
