ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ୦୪ ତାରିଖରେ ସମଗ୍ର ରାଜ୍ୟର ବିଦ୍ୟାଳୟ ଗୁଡିକରେ “ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ” ଅନୁଷ୍ଠିତ ହେଉଅଛି। ଏଥିସହ ଏପ୍ରିଲ ୦୧ ତାରିଖ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ” ପାଳନ ହେଉଅଛି। ଏପ୍ରିଲ ୦୪ ତାରିଖ ଉଭୟ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଅଟେ। ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିଜ ଗ୍ରାମ ହେଉଅଛି ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଘୋଳପୁର। ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ଗ୍ରାମର ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ।
ଏପ୍ରିଲ ୦୪ ତାରିଖ ଦିନ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଗ୍ରାମୀଣ ପୋଷାକ ମଠା ଧୋତି ଓ ଧଳା ଗଞ୍ଜି ପରିଧାନ କରି ଏବଂ ତଉଲିଆ କାନ୍ଧରେ ପକାଇ ନିଜ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବରେ ଅତିଥିଭାବେ ଯୋଗଦେଇଥିଲେ। କୁନି ଶିଶୁମାନଙ୍କୁ କୋଳରେ ବସାଇ ବିଦ୍ୟାଳୟରେ ଖଡ଼ିଛୁଆଁର ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଛୁଆଙ୍କ ଅଭିଭାବକ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ପ୍ରଧାନ, ସହକାରୀ ଶିକ୍ଷକ ମନୋଜ କୁମାର ପଟ୍ଟନାୟକ, ଗୌରାଙ୍ଗ ପ୍ରଧାନ ଓ ପ୍ରଦୀପ କୁମାର ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ।
