ଅନୁଗୁଳ/ତାଳଚେର (ଅଜିତ କୁମାର ଭୋଇ): ଅଗ୍ନିଶମ, ସିପିଆର୍, ପ୍ରାଥମିକ ଚିକିତ୍ସା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ୟାବହାରିକ ତାଲିମମେରାମଣ୍ଡଳୀ, ଏପ୍ରିଲ ୧୨, ୨୦୨୬: ଜରୁରୀକାଳୀନ ପ୍ରସ୍ତୁତି ଏବଂ ସାମୁଦାୟିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ମୁଣ୍ଡଳୀ, ଭୁବନେଶ୍ୱର ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ୍) ଏବଂ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସଏମ)ର ମିଳିତ ସହଯୋଗରେ ଏକ ସଚେତନତା କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଟିଏସଏମ କିସିନ୍ଦା କ୍ଲବ୍ ଠାରେ ଏହି ଅପରେସନାଲ୍ ଫ୍ୟାମିଲିୟାରାଇଜେସନ୍ ଏବଂ କମ୍ୟୁନିଟି ଆୱାରନେସ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏନଡିଆରଏଫ୍ ର ଟିମ୍ ଲିଡର୍ ମୀର ସିଂ ଏବଂ ଟୁ-ଆଇସି ଅନନ୍ତ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ପାଖାପାଖି ୧୫୦ ଜଣ ଅଂଶଗ୍ରହଣକାରୀଙ୍କୁ ଅଗ୍ନିଶମ ସେବା, ସିପିଆର, ପ୍ରାଥମିକ ଚିକିତ୍ସା ଏବଂ ସର୍ପାଘାତ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବ୍ୟାବହାରିକ ତାଲିମ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଟିଏସଏମର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଚିଫ୍ ସେଫ୍ଟି ବିଳାସ ଗାଏକୱାଡ, ହେଡ୍ ସିକ୍ୟୁରିଟି ମୁକୁଲ କୁମାର, ହେଡ୍ ପ୍ରୋସେସ୍ ସେଫ୍ଟି ବରୁଣ କୁମାର, ଟିଏମଏଚ୍ ମେରାମଣ୍ଡଳୀର ଇନଚାର୍ଜ ଡାକ୍ତର ଆଶିଷ ମହାପାତ୍ର, ଟିଏସଏଫର ୟୁନିଟ୍ ଲିଡ୍ କୁମାର ସୌରଭ ଏବଂ ଫାୟାର୍ ଆଣ୍ଡ୍ ସେଫ୍ଟି ଇନଚାର୍ଜ ଡି.କେ. ସିଂଙ୍କ ସମେତ ସୁରକ୍ଷା ଓ ସିକ୍ୟୁରିଟି ଦଳର ସଦସ୍ୟମାନେ ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବାସିନ୍ଦା, ଜନପ୍ରତିନିଧି ଏବଂ ଛାତ୍ରଛାତ୍ରୀଙ୍କ ସମେତ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ସୁରକ୍ଷା ଓ ଚିକିତ୍ସା ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ଏହି ଭଳି କାର୍ଯ୍ୟକ୍ରମମାନ ଆୟୋଜନ ଦ୍ଵାରା ଶିଳ୍ପ ସଂସ୍ଥା ଏବଂ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବିପତ୍ତି ସମୟରେ ପରସ୍ପର ମଧ୍ୟରେ ସମନ୍ୱୟ ସୁଦୃଢ଼ ହୋଇପାରିବ।
