ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଷ୍ଣୁଚକ୍ର କ୍ଲଷ୍ଟର ଅନ୍ତର୍ଗତ ସୋରୋଡ ଗ୍ରାମସ୍ଥ ଶ୍ରୀ ବାଲୁଙ୍କେଶ୍ଵର ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ରୀ ନିବେଦିତା ବେହେରା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା-୨୦୨୬ରେ ସର୍ବାଧିକ ୫୬୩(୯୩.୮୩%)ମାର୍କ ହାସଲ କରି ବୁଗୁଡା ବ୍ଲକ ଟପ୍ପର ରୂପେ ବିବେଚିତ ହୋଇଥିବା ବେଳେ ତାଙ୍କୁ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଜଣାଯାଇଛି। ସୋରୋଡ ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ସ୍ବାଇଁଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ମେଧାବୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ସିଆରସିସି ସନ୍ତୋଷ କୁମାର ଡାକୁଆ ଯୋଗ ଦେଇଥିଲେ।
ଏ ଅବସରରେ ବୁଗୁଡା ବ୍ଲକ ଟପ୍ପର ଛାତ୍ରୀ ନିବେଦିତା ବେହେରା ଏବଂ ବିଦ୍ଯାଳୟର ଅନ୍ଯତମ ଏ-୧ ଗ୍ରେଡ୍ ଛାତ୍ରୀ କୋମଲ ବେହେରାଙ୍କ ସମେତ ଛାତ୍ର ଆଶୁତୋଷ ସ୍ବାଇଁ ଓ ସୋନାଲି ଦାସ ପ୍ରମୁଖଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ଭବ୍ଯ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ଶିକ୍ଷକ ଉମାକାନ୍ତ ଦାଶ, ହରେକୃଷ୍ଣ ଦୁହୁଡି, ସତ୍ଯବାନ ସାହୁ ଓ ଶିକ୍ଷୟିତ୍ରୀ ବନିତା ବେହେରା ଉପସ୍ଥିତ ରହି ବିଦ୍ଯାଳୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ସହ ତାଙ୍କର ଶୁଭକାମନା କରିଥିଲେ। କାର୍ଯ୍ୟକ୍ରମର ପରିଶେଷରେ ଶିକ୍ଷକ ଦିନବନ୍ଧୁ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ।
