ଅନୁଗୁଳ/ମେରାମଣ୍ଡଳୀ(ଅଜିତ କୁମାର ଭୋଇ): ଜୁନ୍ ୫, ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସଏମ) ପକ୍ଷରୁ ଶୁକ୍ରବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ ରହିଛି (ଇନସ୍ପାୟାର୍ଡ ବାଇ ନେଚର୍। ଫର୍ କ୍ଲାଇମେଟ୍। ଫର୍ ଆଓର୍ ଫ୍ୟୁଚର୍) ପ୍ରକୃତି ସହ ଯୋଡ଼ି ହେବା, ଏହି ଅବସରରେ କମ୍ପାନୀ ପରିସରରେ ଚାରା ରୋପଣ, ପଦଯାତ୍ରା, ସଚେତନତା କାର୍ଯ୍ୟକ୍ରମ, ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ପରିବେଶ ସୁରକ୍ଷାପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଟିଏସଏମ କଲୋନୀ ପରିସରରେ ଏକ ‘ପଦଯାତ୍ରା’ (ପରିବେଶ ସଚେତନତା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା।
ଏହି ଉପଲକ୍ଷେ କମ୍ପାନୀର କର୍ମଚାରୀ, ସେମାନଙ୍କ ପରିବାରବର୍ଗ ଏକତ୍ରିତ ହୋଇ ପରିବେଶ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଭାଇସ ପ୍ରେସିଡେଣ୍ଟ, ସୁଧୀର ମେହେତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଟିଏସଏମ ପକ୍ଷରୁ ପ୍ଲାଣ୍ଟ ପରିସରରେ ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କ ଦ୍ବାରା ୨୨୦୦ରୁ ଅଧିକ ଚାରାରୋପଣ କରାଯାଇଛି। ବ୍ୟାପକ ଚାରାରୋପଣ ବ୍ୟତୀତ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ସପ୍ତାହ ଆରମ୍ଭରୁ କଲୋନୀରେ ରହୁଥିବା ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ସହିତ କର୍ମଚାରୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଉପସ୍ଥିତ ସମସ୍ତ ସଦସ୍ୟ ପରିବେଶ ସୁରକ୍ଷା ତଥା ସ୍ଥାୟୀ ଜୀବନଶୈଳୀ ଆପଣାଇବା ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ। ଟାଟା ଷ୍ଟିଲ ପକ୍ଷରୁ ଜୁନ୍ ମାସକୁ ଦୀର୍ଘସ୍ଥାୟୀତ୍ୱ ମାସ (ସଷ୍ଟେନେବିଲିଟି ମନ୍ଥ) ଭାବେ ପାଳନ କରାଯାଉଥିବାରୁ ଏହି ଭଳି କାର୍ଯ୍ୟକ୍ରମଗୁଡ଼ିକ ମାସବ୍ୟାପୀ ଚାଲିବ।
