ବୁଗୁଡ଼ାରେ ଉତ୍ସାହ ଓ ଉଦ୍ଦୀପନା ସହ ପବିତ୍ର ରଜ ପର୍ବ ପାଳିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ଓଡ଼ିଶାର ଗଣପର୍ବ ‘ରଜ’ ବେଶ୍‌ ଧୂମଧାମ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି। ପହିଲି ରଜ ଅବସରରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିବା ବେଳେ ଆବାଳବୃଦ୍ଧବନିତା ସମସ୍ତେ ରଜ ମଉଜରେ ମାତିଛନ୍ତି। ବସୁଧା ବା ମାଟି ମା’ଙ୍କୁ ସମ୍ମାନ ଜଣାଇ ଚାଷ କାର୍ଯ୍ୟରୁ ବିରତି ନେଇ ଚାଷୀକୂଳ ଏହି ପର୍ବକୁ ଆନନ୍ଦର ସହ ପାଳନ କରୁଥିବା ଦେଖିବାକୁ ମିଳିଛି।ବୁଗୁଡ଼ା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ରଜ ଦୋଳିର ସ୍ୱତନ୍ତ୍ର ଆୟୋଜନ କରାଯାଇଛି।

କାଠ ଦୋଳି, ବାଉଁଶ ଦୋଳି ଓ ଗଛ ଗଣ୍ଡିରେ ବନ୍ଧାଯାଇଥିବା ଦଉଡ଼ି ଦୋଳିରେ ଝିଅ ଓ ବୋହୂମାନେ ଦୋଳି ଖେଳିବା ସହ ପାରମ୍ପରିକ ରଜ ଗୀତ ଗାଇ ପରିବେଶକୁ ବେଶ୍‌ ରସମୟ କରିଛନ୍ତି।ଘରେ ଘରେ ବିଭିନ୍ନ ପିଠାର ବାସ୍ନା ମହକୁଛି। ଝିଅମାନେ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଓ ମଥାରେ ଚନ୍ଦନ ଲଗାଇ ବେଶ୍‌ ସଜବାଜ ହୋଇ ରଜ ମଉଜ ଉପଭୋଗ କରୁଛନ୍ତି। ଏହା ସହିତ ରଜ ପାନର ଚାହିଦା ସବୁଠୁ ଅଧିକ ରହିଛି। ବିଭିନ୍ନ ସ୍ୱାଦର ମିଠା ପାନ ତିଆରି କରି ପରସ୍ପରକୁ ବାଣ୍ଟିବା ସହ ବନ୍ଧୁମିଳନର ଏକ ସୁନ୍ଦର ଚିତ୍ର ସାମ୍ନାକୁ ଆସିଛି।ଆଧୁନିକତା ଭିତରେ ବି ବୁଗୁଡ଼ା ଅଞ୍ଚଳରେ ପାରମ୍ପରିକ ଉତ୍ସାହ ହଜିଯାଇନାହିଁ।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat