ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ: ସପ୍ତାହେ ହେଲା ରିମୁଳି ଡାକଘରରେ ଡାକସେବା ଠପ୍

ଚମ୍ପୁଆ/କେନ୍ଦୁଝର ( ପ୍ରଦୀପ ମହାନ୍ତ) : ଚମ୍ପୁଆ ବ୍ଲକ ଅନ୍ତର୍ଗତ ରିମୁଳି ଡାକଘରରେ ଦୀର୍ଘ ଏକ ସପ୍ତାହରୁ ଅଧିକ ସମୟ ଧରି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ରହିଥିବାରୁ ଡାକସେବା ବ୍ୟାହତ ହୋଇଛି। ଏହା ଯୋଗୁଁ ଡାକଘରକୁ ଆସୁଥିବା ଜନସାଧାରଣ ବିଭିନ୍ନ ସେବା ପାଇବାରୁ ବଞ୍ଚିତ ହୋଇ ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି।ବିଦ୍ୟୁତ୍ ନଥିବାରୁ ଡାକଘରର ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଜରୁରୀ ଚିଠିପତ୍ର ପଠାଇବା ଓ ଅନ୍ୟାନ୍ୟ ଡାକସେବା ପାଇବାରେ ଲୋକଙ୍କୁ ସମସ୍ୟା ଭୋଗିବାକୁ ପଡ଼ୁଛି।

ଫଳରେ ଡାକଘର ଉପରେ ନିର୍ଭରଶୀଳ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଡାକଘର ଦାୟିତ୍ୱରେ ଥିବା ପୋଷ୍ଟମାଷ୍ଟର ପ୍ରମୋଦ ପାତ୍ରଙ୍କ କହିବାନୁଯାୟୀ, ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ ହୋଇନାହିଁ।ବିଦ୍ୟୁତ୍ ନଥିବାରୁ ଡାକଘରର କାର୍ଯ୍ୟ ସ୍ୱାଭାବିକ ଭାବେ ପରିଚାଳନା କରିବା ସମ୍ଭବ ହେଉନାହିଁ।

ଅନ୍ୟପକ୍ଷରେ, ରିମୁଳି ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯିବାରୁ ଡାକଘରର ସର୍ଭିସ୍ ତାର ନଷ୍ଟ ହୋଇଯିବାରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବା ସେ କହିଛନ୍ତି। ଗତ ଶନିବାର ଡାକଘର ପକ୍ଷରୁ ବିଦ୍ୟୁତ୍ ବିଭାଗକୁ ଏନେଇ ଅବଗତ କରାଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।ପ୍ରବଳ ବର୍ଷା ଯୋଗୁଁ ନଷ୍ଟ ହୋଇଥିବା ସର୍ଭିସ୍ ତାର ପରିବର୍ତ୍ତନ କାର୍ଯ୍ୟ ବିଳମ୍ବିତ ହୋଇଥିବା ବେଳେ ଆଜି ମରାମତି କାର୍ଯ୍ୟ କରାଯାଇ ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ କରାଯିବ ବୋଲି ବିଦ୍ୟୁତ୍ ବିଭାଗ ପକ୍ଷରୁ କୁହାଯାଇଛି।ତେବେ ମରାମତି କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହୋଇ ରିମୁଳି ଡାକଘରରେ ଡାକସେବା ପୁଣିଥରେ ସ୍ୱାଭାବିକ ହେବ, ତାହାକୁ ନେଇ ଅଞ୍ଚଳବାସୀ ଅପେକ୍ଷାରେ ରହିଛନ୍ତି।

Leave a Reply

Your email address will not be published. Required fields are marked *

Powered by Joinchat