ଚମ୍ପୁଆ/କେନ୍ଦୁଝର (ପ୍ରଦୀପ କୁମାର ମହନ୍ତ) : ଚମ୍ପୁଆ ଚନ୍ଦ୍ରଶେଖର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରାଥମିକ ଚିକିତ୍ସା ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବାଳିକା ବିଭାଗରେ ବିଦ୍ୟାଳୟର ଦଳ ଦଳଗତ ଚମ୍ପିଆନ ହୋଇଥିବାବେଳେ ବାଳକ ବିଭାଗରେ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ସଫଳତା ଚମ୍ପୁଆ ପାଇଁ ଗୌରବ ଆଣିଛି।ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଯୋଡ଼ାସ୍ଥିତ ରିକ୍ରିଏସନ୍ ସେଣ୍ଟରରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ ଏହି ମକ୍ ଡ୍ରିଲ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଜାତୀୟ ମାନବ ଅଧିକାର କମିଶନ, କେନ୍ଦୁଝର ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ଜିଲ୍ଲା ଯୁବ ସଭାପତି ସୁପିଲ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରାଥମିକ ଚିକିତ୍ସା ସମ୍ପର୍କିତ ଜ୍ଞାନ, ଆପତ୍କାଳୀନ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ଓ ଦଳଗତ କାର୍ଯ୍ୟଦକ୍ଷତା ଆଧାରରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ଏହି ସଫଳତା ପାଇଁ ନିର୍ଦ୍ଦେଶକ କେଶବ ଚନ୍ଦ୍ର ମହାନ୍ତ, ସହକାରୀ ନିର୍ଦ୍ଦେଶିକା କୁନ୍ତଳା ମହାନ୍ତ, ମ୍ୟାନେଜର ପ୍ରବୀର କୁମାର ମହାନ୍ତ, ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
