ଚମ୍ପୁଆ/କେନ୍ଦୁଝର (ପ୍ରଦୀପ କୁମାର ମହନ୍ତ): ଚମ୍ପୁଆ ଥାନା ନିକଟସ୍ଥ ବୈତରଣୀ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ପରେ ଘଟଣାସ୍ଥଳରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।ସୂଚନା ଅନୁସାରେ, ପ୍ରତାପପଶି ଅଞ୍ଚଳର ଦିବ୍ୟରଞ୍ଜନ ପାତ୍ର ଓ ଚନ୍ଦନ ମହାନ୍ତ ରିମିଳିରୁ ଜୟନ୍ତୀଗଡ଼ ଅଭିମୁଖେ ଯାଉଥିବା ବେଳେ ବୈତରଣୀ ପୋଲ ନିକଟରେ ଝାଡ଼ଖଣ୍ଡ ପଟୁ ଆସୁଥିବା ଅନ୍ୟ ଏକ ବାଇକ୍ ସହ ଧକ୍କା ହୋଇଥିଲା। ଧକ୍କା ଯୋଗୁଁ ଦୁଇ ବାଇକ୍ରେ ଥିବା ତିନିଜଣ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ।
ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରଲର ରାସ୍ତାରେ ପଡ଼ିଥିବା ଜଣେ ବାଇକ୍ ଚାଳକଙ୍କୁ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ସ୍ପଷ୍ଟ ଭାବେ ଜଣାପଡ଼ିନଥିବା ବେଳେ, ତାଙ୍କ ପକେଟ୍ରୁ ମିଳିଥିବା ଆଧାର କାର୍ଡ ଅନୁସାରେ ସେ ଝାଡ଼ଖଣ୍ଡର ଟାଟାନଗର ଅଞ୍ଚଳର ସଞ୍ଜୟ କୁମାର ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି।ଅନ୍ୟ ଦୁଇ ଆହତଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରଲରଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରହିଛି।
