ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ସମୀକ୍ଷା କଲା ରୋଗୀ କଲ୍ୟାଣ ସମିତି

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ): ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତି (ଆରକେଏସ୍‌)ର ଏକ ବୈଠକ ଅନୁଷ୍ଠିତ ହୋଇଛି। ସମିତିର ଅଧ୍ୟକ୍ଷ ତଥା ଚମ୍ପୁଆ ଉପଜିଲ୍ଲାପାଳ ଡି.ଏସ୍‌. ଶୁଭଦର୍ଶୀ ଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଚିକିତ୍ସାଳୟର ବିଭିନ୍ନ ସମସ୍ୟା, ଭିତ୍ତିଭୂମିର ବିକାଶ ଓ ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ବି.କେ. ଦାସ, ବିଧାୟକଙ୍କ ପ୍ରତିନିଧି ଗଣେଶ ଖିଲାର, ସମିତିର ସଦସ୍ୟ ତରୁଣ କୁମାର ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ଡାକ୍ତର ନାରାୟଣ ପ୍ରଧାନ, ଡାକ୍ତର ଯୋଗେନ୍ଦ୍ରନାଥ ଆଦ୍ୟା ପ୍ରମୁଖ ଉପସ୍ଥିତ ଥିଲେ।

ଏଥିସହ ମହିଳା ଓ ଶିଶୁ ବିକାଶ, ପୂର୍ତ୍ତ ବିଭାଗ, ଜଳ ଓ ପରିମଳ ବିଭାଗ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଶିକ୍ଷା ବିଭାଗ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ହସ୍ପିଟାଲ ମ୍ୟାନେଜର ୱାସିମ୍‌ ଅକତାର ଓ ହିସାବରକ୍ଷକ ଜୀବନ ଜେନା ଚିକିତ୍ସାଳୟର ଆୟବ୍ୟୟ ସମ୍ପର୍କିତ ବିବରଣୀ ଉପସ୍ଥାପନ କରିଥିଲେ। ଚିକିତ୍ସାଳୟରେ ଡାକ୍ତର ଓ ଅନ୍ୟାନ୍ୟ ସମସ୍ୟା ସମେତ ରୋଗୀ ସେବାର ମାନ ବୃଦ୍ଧି ଏବଂ ଭିତ୍ତିଭୂମିର ସୁଦୃଢ଼ୀକରଣ ଉପରେ ସଦସ୍ୟମାନେ ମତ ରଖିଥିଲେ। ବୈଠକରେ ଆମ୍ବୁଲାନ୍ସ ଚାଳକଙ୍କ ରହିବା ଗୃହ ସ୍ଥାନାନ୍ତର, ଦୀର୍ଘଦିନ ଧରି ବନ୍ଦ ରହିଥିବା କ୍ୟାବିନ୍‌ଗୁଡ଼ିକ ଖୋଲିବା, ଅଚଳ ଲିଫ୍ଟର ମରାମତି କରି ଏହାକୁ କାର୍ଯ୍ୟକ୍ଷମ କରିବା, ପାଣି ଟାଙ୍କି ସଫା କରିବା ଏବଂ ଶୌଚାଳୟର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଭଳି ପ୍ରସଙ୍ଗ ଉଠିଥିଲା।

ସେହିପରି ରୋଗୀଙ୍କ ସୁବିଧା ପାଇଁ ଆବଶ୍ୟକ ସଂଖ୍ୟକ ହ୍ୱିଲ୍‌ଚେୟାର ଯୋଗାଣ, ଆବଶ୍ୟକ ସ୍ଥାନରେ ଇନଭର୍ଟର ସ୍ଥାପନ, ହେଲ୍ପ ଡେସ୍କର ସୁପରିଚାଳନା ଏବଂ କର୍ମଚାରୀଙ୍କ କାର୍ଯ୍ୟଧାରାର ନିୟମିତ ତଦାରଖ ଉପରେ ଉପଜିଲ୍ଲାପାଳ ଶ୍ରୀ ଯୋଶୀ ଗୁରୁତ୍ୱାରୋପ କରିଥିଲେ। ଚିକିତ୍ସାଳୟର ସେବା ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ରୋଗୀମାନଙ୍କୁ ଉତ୍ତମ ଓ ସୁବିଧାଜନକ ଚିକିତ୍ସା ସେବା ଯୋଗାଇଦେବା ଦିଗରେ ସମସ୍ତ ବିଭାଗର ସମନ୍ୱୟ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *

Powered by Joinchat