କେନ୍ଦୁଝର (ପ୍ରଦୀପ ମହାନ୍ତ) : ଅପରାଧ ବିରୋଧରେ ଆଇନର କଠୋରତା ଏବଂ ନିଷ୍ଠାପର ପୋଲିସ ତଦନ୍ତର ଆଉ ଏକ ଉଦାହରଣ ସୃଷ୍ଟି ହୋଇଛି। ସ୍ତ୍ରୀ ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ମାନ୍ୟବର ଅଦାଲତ। ଏଥିସହ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଦଣ୍ଡାଦେଶ ହୋଇଛି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଫୁଲବାଡ଼ି ଗ୍ରାମର ଉଗ୍ରସେନ ଜୁଆଙ୍ଗ ନିଜ ପତ୍ନୀ ରାଧି ଜୁଆଙ୍ଗଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ। ଏନେଇ କାଞ୍ଜିପାଣି ଥାନାରେ ୧୩ ଫେବୃଆରୀ ୨୦୨୪ରେ କେସ୍ ନଂ ୫୯/୨୦୨୪, ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨ ଓ ୩୨୩ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଦାୟିତ୍ୱ ତୁଲାଇଥିଲେ କାଞ୍ଜିପାଣି ଥାନାର ତତ୍କାଳୀନ ତଦନ୍ତକାରୀ ଅଧିକାରୀ ସବ୍ଇନ୍ସପେକ୍ଟର ସ୍ୱରୂପ ରଞ୍ଜନ ନାୟକ।
ତାଙ୍କର ଉତ୍ସର୍ଗୀକୃତ ତଦନ୍ତ, ନିଷ୍ଠାପର ପ୍ରୟାସ ଏବଂ ମାମଲାର ସଠିକ୍ ତଦନ୍ତ ଫଳରେ ନ୍ୟାୟିକ ପ୍ରକ୍ରିୟାରେ ଏହି ସଫଳତା ମିଳିଥିବା ଓଡ଼ିଶା ପୋଲିସ ପକ୍ଷରୁ ଉଲ୍ଲେଖ କରାଯାଇଛି। ଗତ ୧୭ ନଭେମ୍ବର ୨୦୨୬ରେ କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ ମାନ୍ୟବର ଶ୍ରୀ ଗୋପାଳ ଚନ୍ଦ୍ର ବେହେରା ଏହି ମାମଲାର ବିଚାର କରି ଅଭିଯୁକ୍ତ ଉଗ୍ରସେନ ଜୁଆଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ହତ୍ୟା ଅପରାଧରେ ଧାରା ୩୦୨ ଅନୁଯାୟୀ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦାୟରେ ଅତିରିକ୍ତ ଏକ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ ଧାରା ୩୨୩ ଅନୁଯାୟୀ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।ପୋଲିସର ନିଷ୍ଠାପର ତଦନ୍ତ ଏବଂ ନ୍ୟାୟାଳୟର ରାୟ ଅପରାଧୀଙ୍କୁ ଦଣ୍ଡିତ କରିବା ସହ ଆଇନ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଆସ୍ଥାକୁ ଆହୁରି ସୁଦୃଢ଼ କରିଛି। ଅପରାଧ ନିୟନ୍ତ୍ରଣ ଓ ନ୍ୟାୟ ପ୍ରଦାନ ଦିଗରେ ଓଡ଼ିଶା ପୋଲିସର ଏହି ସଫଳତା ନିଶ୍ଚିତ ଭାବେ ଏକ ଉଲ୍ଲେଖନୀୟ ପଦକ୍ଷେପ।
