ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି କେନ୍ଦ୍ରୀୟ ନେତୃତ୍ୱ । ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଏନେଇ ଫେରାଦ ହୋଇ ବିଜେପିର ବରିଷ୍ଠ ନେତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା ରାଜୀବ ଚନ୍ଦ୍ରଶେଖର, ସୁଧାଂଶୁ ତ୍ରିବେଦୀ ଓ ଓମ୍ ପାଠକ ଆଜି ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟି ଆଇଏଏସ୍ ସୁଜାତା ପାଣ୍ଡିଆନ କିଭଳି ଖୋଲାଖୋଲି ଭାବେ ସରକାରୀ କଳ ଓ ନିଜ କ୍ଷମତାର ଦୁରୂପଯୋଗ କରୁଛନ୍ତି ସେ ନେଇ ଲିଖିତ ଅଭିଯୋଗ କରିଥିଲା । ନିଜ ସ୍ୱାମୀ ଭିକେ ପାଣ୍ଡିଆନଙ୍କ ଦ୍ୱାରା ପ୍ରରୋଚନାରେ ସେଏଭଳି ଅନୈତିକ କାର୍ଯ୍ୟ କରୁଛନ୍ତି । ଓଡ଼ିଶା ସରକାର ପ୍ରାୟ ୭୦ହଜାର ମହିଳାଙ୍କୁ ଏହି ଏସଏଚଜିରେ ସାମିଲ କରିଛନ୍ତି ଆଉ ସେମାନଙ୍କ ମାଧ୍ୟମରେ ସୁଜାତା ପାଣ୍ଡିଆନ ଏବେ ଭୋଟରଙ୍କୁ ପ୍ରଭାବିତ କରିବା କାର୍ଯ୍ୟ କରିବାରେ ଲାଗିଛନ୍ତି।
ଭୋଟରଙ୍କୁ ସଚେତନ କରାଇବା ପାଇଁ ଜାତୀୟ ନିର୍ବାଚନ କମିଶନ ଏସଭିଇଇପି(ସିଷ୍ଟମେଟିକ ଭୋଟର୍ସ ଏଜୁକେସନ ଆଣ୍ଡ ଇଲେକ୍ଟ୍ରୋରାଲ ପ୍ରାଟିସପେକ୍ସନ) ଭଳି ଫ୍ଲାଗସିପ୍ କାର୍ଯ୍ୟକ୍ରମ କରୁଛନ୍ତି।ମାତ୍ର ଆଇଏଏସ୍ ସୁଜାତା ପାଣ୍ଡିଆନ ଏବେ ସମ୍ପୃକ୍ତ ୭୦ହଜାର ମହିଳାଙ୍କ ମାଧ୍ୟମରେ ଏହି ‘ଏସଭିଇଇପି’ର ଦୁରୂପଯୋଗ କରି ମିଶନଶକ୍ତି ସହ ଜଡ଼ିତ ମହିଳାମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ପ୍ରବର୍ତଉଛନ୍ତି । ଏପରିକି ବିଜେଡିକୁ ଭୋଟ୍ ନଦେଲେ ମିଶନ ଶକ୍ତି ବିଭାଗ ଯୋଗାଉଥିବା ସରକାରୀ ସୁବିଧା ବନ୍ଦ କରିଦିଆଯିବ ବୋଲି ଧମକ ଦେବାକୁ ମଧ୍ୟ ପଛାଉନାହାନ୍ତି। ଯାହାକି ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଘଂନ।ତେଣୁ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ତୁରନ୍ତ ସୁଜାତାଙ୍କୁ ମିଶନ ଶକ୍ତି କମିଶନର ପଦବୀରୁ ହଟାଇ ଦେଇ ନିର୍ବାଚନ ସରିବା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସରକାରୀ କାର୍ଯ୍ୟରୁ ନିବୃତ୍ତ ରଖିବାକୁ ବିଜେପି ଦାବି କରିଥିଲା।
ମିଳିଥିବା ବିବରଣୀରୁ ଜଣାଯାଇଛି ଯେ ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା ମିଶନ ଶକ୍ତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ସିଧାସଳଖ ଲୋକଙ୍କ ସହ ସମ୍ପର୍କ ନଥିବା ବିଭାଗକୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।