ହିନ୍ଦୁ ବିବାହ ଏକ ସଂସ୍କାର, ଏହା ନୃତ୍ୟ ସଙ୍ଗୀତ କିମ୍ବା ଭୋଜିଭାତର ଅବସର ନୁହେଁ । ସାତଫେରା ନୁହେଁ ଅନ୍ୟ ଛୋଟ ଛୋଟ ରୀତି,ନୀତି ନିୟମ ମଧ୍ୟ ପାଳନ କରିବାକୁ ହେବ, ନଚେତ ଏହି ବିବାହକୁ କେବେ ବି ବୈଧ କୁହାଯାଇ ପାରିବ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ ।ହିନ୍ଦୁ ବିବାହ ଅଧିନିୟମ ୧୯୫୫ ଅନୁଯାୟୀ ଏହାକୁ ବୈଧ ଘୋଷଣା କରିବା ନିମନ୍ତେ ଆଇନଗତ ଆବଶ୍ୟକତା ଉପରେ ମଧ୍ୟ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ବିବାହ ହେଉଛି ଭାରତୀୟ ହିନ୍ଦୁ ସମାଜର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆୟୋଜନ, ଯେଉଁଠି ଉଭୟ ପତି-ପତ୍ନୀ ସାରା ଜୀବନ ଏକାଠି ରହିବାର ପ୍ରତିଜ୍ଞା ନେବା ସହ ପରିବାର ପ୍ରତି ଦାୟିତ୍ୱ ପାଳନ କରିଥାନ୍ତି । ଆଜି କାଲିର ଯୁବକ ଯୁବତୀ ମାନେ ଏହାର ମୂଲ୍ୟବୋଧ ଓ ଗୁରୁତ୍ୱକୁ ଜାଣିବା ସହିତ ବିବାହର ପ୍ରତ୍ୟେକଟି ପରମ୍ପରାକୁ ପାଳନ କରିବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।