ପୂର୍ବଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଚ୍ୟାଲେଞ୍ଜ କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ‘କେନ୍ଦ୍ରମନ୍ତ୍ରୀ ବହୁତ ବଡ଼ ବଡ଼ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ୧୦ ବର୍ଷ ମଧ୍ୟରେ ସାମାନ୍ୟ ଗୋଟେ ଜାତୀୟ ରାଜପଥକୁ ଠିକ୍ କରିପାରିଲେ ନାହିଁ, ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରିବାକୁ ତାଙ୍କର ସାହସ ଆସିଲା କୋଉଠୁ? ମୋତେ ଚାମଚା, ଗୁମାସ୍ତା ବୋଲି କହୁଛନ୍ତି । ମୋତେ ଯାହାବି କହିଲେ କିଛି ଅସୁବିଧା ନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କଲେ ମୁଁ ସହିବି ନାହିଁ’ ।
ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ବିରୋଧୀ କହୁଛନ୍ତି ଯେ ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି । ମୁଁ ତାଙ୍କୁ ଚ୍ୟାଲେଞ୍ଜ କରୁଛି ଯଦି ନବୀନ ପଟ୍ଟନାୟକ ତିନି-ଚତୁର୍ଥାଂଶ ବହୁମତରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି, ଜୁନ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନିଅନ୍ତି, ତା’ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି।ସେ ଆହୁରି କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏମିତି ଚ୍ୟାଲେଞ୍ଜ ଦେଇପାରିବେ କି ? ତାଙ୍କ ଦଳ ସରକାର ନ ଆସିଲେ ସେ ରାଜନୀତିରୁ ସନ୍ୟାସ ନେବେ କି ? କେନ୍ଦ୍ରମନ୍ତ୍ରୀ ପ୍ରଥମେ ଢେଙ୍କାନାଳରୁ ପ୍ରାର୍ଥୀ ହେବା ପାଇଁ ୧୦ ବର୍ଷ କାଳ ଉଦ୍ୟମ କଲେ କିନ୍ତୁ ନାମାଙ୍କନ ବେଳକୁ ଡର ପଶିଲା, ସେ ସମ୍ୱଲପୁରରୁ ଆସି ଛିଡ଼ା ହେଲେ ।
ନିର୍ବାଚନ ସମୟରେ ବିରୋଧୀ ନେତାମାନେ ଆସି ମିଛକଥା କହିବା ଆରମ୍ଭ କରିବେ ଓ ଆପଣଙ୍କ ଭୋଟ ନେଇଯିବେ, ତା’ପରେ ଖୋଜିଲେ ସେମାନେ ମିଳିବେନି । ସେମାନେ କେବେ ଆପଣମାନଙ୍କୁ ହିସାବ ଦେବେନାହିଁ । ପୂର୍ବ ନିର୍ବାଚନରେ ଦରଦାମ୍ କମିବ ବୋଲି ସେମାନେ କହିଥିଲେ । ଏଲ୍.ପି.ଜି, ପେଟ୍ରୋଲ, ଡିଜେଲ ଦାମ୍ କମିଲା କି ? ବୋଲି ଜନତାଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ ।ମୁଁ କିନ୍ତୁ ଆପଣମାନଙ୍କୁ ହିସାବ ଦେବି । ମୁଖ୍ୟମନ୍ତ୍ରୀ ଆମକୁ ସରକାରର କାମର ହିସାବ ଦେବାପାଇଁ ସବୁବେଳେ ନିର୍ଦ୍ଦେଶ ଦେଇଥାନ୍ତି ।