ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବାକଯୁଦ୍ଧ

ଚଳିତ ନିର୍ବାଚନରେ ପ୍ରଥମଥର ଓଡ଼ିଶାରେ ଦେଖିବାକୁ ମିଳିଛି ଜଣେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ। କନ୍ଧମାଳ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଭଳି ବୟାନରେ ଆକ୍ରମଣ କରିଥିଲେ ତାହାର ଜବାବ ରଖିଛନ୍ତି ନବୀନ ପଟ୍ଟନାୟକ।

ନବୀନ ନିଜ ଭିଡ଼ିଓ ବାର୍ତା ରେ ପ୍ରତିଆକ୍ରମଣ କରିକହିଛନ୍ତି ଯେ ମୋର କଣ ମନେ ଅଛି କି ନାହିଁ ତାହା ଓଡିଶାବାସୀ ୨୪ ବର୍ଷ ଧରି ଜାଣିଛନ୍ତି । କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶାକୁ କେତେ ମନେ ରଖିଛନ୍ତି ବୋଲି ନବୀନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଓଡିଆ ଭାଷା କ୍ଲାସିକାଲ ଭାଷା ହେବା ପରେ ବି ପ୍ରଧାନମନ୍ତ୍ରୀ ଓଡିଆ ଭାଷାକୁ ଭୁଲିଗଲେ, ଆପଣ ସଂସ୍କୃତ ଭାଷାର ବିକାଶ ପାଇଁ ଆପଣ ୧ ହଜାର କୋଟି ଟଙ୍କା ଦେଲେ, ହେଲେ ଓଡିଆ ଭାଷାର ବିକାଶ ପାଇଁ ଆପଣ ଗୋଟିଏ ବି ଟଙ୍କା ସହାୟତା ଦେଲେ ନାହିଁ ।

କେବଳ ସେତିକି ନୁହେଁ ଏମଏସପି ପ୍ରସଙ୍ଗରେ ମଧ୍ୟ ମୋଦୀଙ୍କୁ ନବୀନ ଘେରିଛନ୍ତି । ନବୀନ କହିଛନ୍ତି କି, ଆପଣ ଚାଷୀମାନଙ୍କ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ହେଲେ କ୍ଷମତାକୁ ଆସିବା ପରେ ଆପଣ ଭୁଲିଗଲେ । ଆପଣ ଓଡିଶା ଲୋକଙ୍କ ପାଇଁ କୋଷ୍ଟାଲ ହାଇୱେ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ହେଲେ ତାକୁ ବି ଭୁଲିଗଲେ ।

ସେହିଭଳି କୋଇଲା ରୟାଲ୍ଟି ନେଇ ମଧ୍ୟ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ । ସେ କହିଛନ୍ତି କି, ଓଡିଶାରୁ ନେଉଥିବା କୋଇଲା ଉପରେ ରୟାଲ୍ଟି ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ଆପଣ ୧୦ ବର୍ଷ ହେବ ତାକୁ ବି ଭୁଲିଗଲେ । ନବୀନ କହିଛନ୍ତି କି, କେବଳ ନିର୍ବାଚନ ସମୟରେ ଓଡିଶାକୁ ମନେ ପକାଇଲେ କିଛି ଲାଭ ମିଳିବ ନାହିଁ ।

ନବୀନ ପ୍ରଶ୍ନ କରିଛନ୍ତି ଯେ ଆପଣ ୨୦୧୪ ଓ ୨୦୧୯ ରେ ଦେଇଥିବା ପ୍ରତିଶ୍ରୁତି ମନେ ରଖିଛନ୍ତି କି ବୋଲି ମୋଦୀଙ୍କୁ ନବୀନ ପ୍ରଶ୍ନ କରିଛନ୍ତି । ଦରବୃଦ୍ଧି କମାଇବା, ବର୍ଷକୁ ୨ କୋଟି ରୋଜଗାର ଦେବା ଗ୍ୟାସ ଓ ତୈଳର ଦରବୃଦ୍ଧି କମାଇବା, ମୋବାଇଲ କନେକ୍ଟିଭିଟି ଦେବା, ଜିଏସଟି ଛାଡ କରିବା ଭଳି ପ୍ରତିଶ୍ରୁତି ଦେଇ ଭୁଲିଯିବାକୁ ଓଡିଶାବାସୀ ମନେ ରଖିଛନ୍ତି ବୋଲି ନବୀନ କହିଛନ୍ତି ।

ଜୁନ ୧୦ ତ ନୁହେଁ କି ଆଗାମୀ ୧୦ ବର୍ଷ ମଧ୍ୟରେ ମଧ୍ୟ ବିଜେପି ଓଡିଶାବାସୀଙ୍କ ହୃଦୟ ଜିତିପାରିବ ନାହିଁ ବୋଲି ନବୀନ ଦୃଢୋକ୍ତି ପ୍ରକାଶ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଓଡିଶାବାସୀଙ୍କ ଭଲ ପାଇବା ନେଇ ବିଜୁ ଜନତା ଦଳ ଷଷ୍ଠଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବୋଲି ନବୀନ କହିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!