ଭୁବନେଶ୍ୱର: ୪ର୍ଥ ପର୍ଯ୍ୟାୟରେ ଓଡ଼ିଶାର ଚାରିଗୋଟି ସଂସଦୀୟ କ୍ଷେତ୍ର ଯଥା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏହିସବୁ କ୍ଷେତ୍ର ଅନ୍ତର୍ଗତ ୨୮ ଗୋଟି ବିଧାନସଭା ଆସନ ନିମନ୍ତେ ଚଳିତ ମାସ ୧୩ ତାରିଖ ଦିନ ମତଦାନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଓଡିଶା ନିର୍ବାଚନ ଅଧିକାରୀ ଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ମେ ୧୩ ତାରିଖରେ ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ଆଜିଠୁ ଡିସପୋସାଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ୪ଟି ସଂସଦୀୟ କ୍ଷେତ୍ର ଯଥା: କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମଇ ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।ଏହି ପର୍ଯ୍ୟାୟରେ ଚାରୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୬୨,୮୭,୨୨୨ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୩୦,୯୭,୫୨୭ ପୁରୁଷ, ୩୧,୮୯,୦୬୦ ମହିଳା ଓ ୬୩୫ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୧୦୩୦ ରହିଛି । ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ଏମାନଙ୍କ ମଧ୍ୟରେ ୧,୭୫,୧୩୪ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୪,୬୮,୫୦୪ ଜଣ ଯୁବ ମତଦାତା ରହିଛନ୍ତି ।
ଏହି ପର୍ଯ୍ୟାୟରେ ମୋଟ ୭୨୮୯ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ପରିସୀମା ଭାବରେ ଏହି ପର୍ଯ୍ୟାୟରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସବୁଠୁ ସାନ ଓ କୋରାପୁଟ ସବୁଠାରୁ ବଡ଼ ସଂସଦୀୟ କ୍ଷେତ୍ର । ବିଧାନସଭା କ୍ଷେତ୍ରମାନଙ୍କ ମଧ୍ୟରେ ବ୍ରହ୍ମପୁର ସବୁଠାରୁ ସାନ ଓ ମାନକାନଗିରି ସବୁଠାରୁ ବଡ଼ ସଂସଦୀୟ କ୍ଷେତ୍ର ଅଟେ ।ମତଦାତା ସଂଖ୍ୟା ହିସାବରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ୧୪୮୦୯୨୨ ଜଣ ମତଦାତା ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୧୭,୦୦,୭୮୦ ଜଣ ମତଦାତା ରହିଛନ୍ତି ।
ବିଧାନସଭା କ୍ଷେତ୍ରଗୁଡ଼ିକ ମଧ୍ୟରେ ଲକ୍ଷ୍ମୀପୁରରେ ସର୍ବନିମ୍ନ ୧,୭୩,୭୨୧ ଜଣ ଓ ଧର୍ମଗଡ଼ରେ ସର୍ବାଧିକ ୨,୬୧,୭୦୮ ଜଣ ମତଦାତା ରହିଛନ୍ତି । ଏହି ଚତୁର୍ଥ ପର୍ଯ୍ୟାୟରେ ସାମଗ୍ରିକ ଭାବରେ ୩୯,୯୯୫ ଜଣ ୮୫ ବର୍ଷରୁ ଉର୍ଦ୍ଧ ମତଦାତା, ୧୨୯୪ ଜଣ ୧୦୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ମତଦାତା, ୩୧ ଜଣ ପ୍ରବାସୀ ମତଦାତା ଓ ୬୨୯୬ ଜଣ ସର୍ଭିସ୍ ଭୋଟର ରହିଛନ୍ତି ।
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ