ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସାଧାରଣ ପରିଷଦରେ ନିଜ ଅଭିଭାଷଣରେ ପ୍ରତିବର୍ଷ ଜୁନ ୨୧ ତାରିଖଟିକୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ମୋଦୀଙ୍କ ମତରେ ସାରାବିଶ୍ୱକୁ ଭାରତର ମୂଲ୍ୟବାନ ଉପହାର ହେଉଛି ‘ଯୋଗ’।ଏହି ତାରିଖଟିକୁ ବାଛିବା ପଛରେ ମୋଦୀଙ୍କ ଯୁକ୍ତି ହେଉଛି ସେହିଦିନ ପୃଥିବୀ ପୃଷ୍ଠରେ ଦିନ ଅବଧି ସର୍ବାଧିକ ରହୁଥିବାରୁ ବହୁ ରାଷ୍ଟ୍ର ଉପରେ ତା’ର ପ୍ରଭାବ ପଡ଼ିଥାଏ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବକୁ ମିଳିତ ଜାତିସଂଘ ସାଦରେ ଗ୍ରହଣ କରିନେଲା । ଫଳରେ ୨୦୧୪ ଡିସେମ୍ବର ୧୧ ତାରିଖରେ ମିଳିତ ଜାତିସଂଘ ପକ୍ଷରୁ ଜୁନ୍ ୨୧ ତାରିଖଟିକୁ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ କରିବାକୁ ଘୋଷଣା କରାଗଲା ।
ଜମ୍ମୁ-କାଶ୍ମୀରରେ ଯୋଗ ଦିବସ ପାଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀନଗର ସ୍ଥିତ ଶେର-ଏ- କଶ୍ମୀର ଇଂଟରନ୍ୟାସନାଲ କନଫରେନ୍ସ ସେଂଟରରେ ଯୋଗ କରିବା ସହ ଦେଶବାସୀଙ୍କୁ ବାର୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷ ଭିତରେ ଯୋଗକୁ ନେଇ ସାରା ବିଶ୍ୱର ଚିନ୍ତାଧାରା ବଦଳିପାରିଛି । ଯୋଗକୁ ନେଇ ବିଶ୍ୱବାସୀଙ୍କ ଗ୍ରହଣିୟତା ବୃଦ୍ଧି ପାଇଛି ।
ଯୋଗ କରିବା ଦ୍ୱାରା ମନୁଷ୍ୟ ଶାରିରୀକ ଓ ମାନସୀକ ସ୍ତରରେ ସୁସ୍ଥ ରହିଥାଏ । ତେଣୁ ନିୟମିତ ଯୋଗାଭ୍ୟାସ କରିବାର ଆବଶ୍ୟକତା ରହିଛି । ଚଳିତ ବର୍ଷ ଯୋଗ ଦିବସର ଥିମ୍ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’ ।