ବଳିୟାରଭୁଜଙ୍କ ଶ୍ରୀଭୁଜରେ ସେବକମାନଙ୍କ ଭରାଦେବା ନିଷେଧ

ପୁରୀ:ଆଜି ପବିତ୍ର ସ୍ନାନ ପୁର୍ଣିମା। ମହାବହୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ପହଣ୍ଡି ହୋଇ ସ୍ନାନ ମଣ୍ଡପକୁ ଆସିବା ପରେ ୧୦୮ ଗରା ଜଳରେ ସ୍ନାନ କରିବେ । ପରେ ଦୁର୍ଲଭ ହାତୀ ବେଶରେ ଦର୍ଶନ ଦେବେ । ପହଣ୍ଡିଠାରୁ ଆରମ୍ଭ କରି ହାତୀବେଶ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା, ମହାପ୍ରଭୁଙ୍କ ଆଗରେ ଅଶୋଭନୀୟ ଅଚରଣକୁ ବନ୍ଦ କରିବା ଓ ଶ୍ରଦ୍ଧାଳୁଙ୍କୁ ସ୍ନାନ ଯାତ୍ରାର ନିର୍ବିଘ୍ନ ଦିବ୍ୟ ଦର୍ଶନ ପ୍ରଦାନ ନିମନ୍ତେ ବ୍ୟବସ୍ଥାବଳୀ ପ୍ରସ୍ତୁତ କରିଛି ମନ୍ଦିର ପ୍ରଶାସନ।

ସ୍ନାନଯାତ୍ରା ଦିନ ସାତପାହାଚ ଉପରେ ଶ୍ରୀଜିଉଙ୍କ ମସ୍ତକରେ ମଣ୍ଡିତ ଟାହିଆଗୁଡ଼ିକର ସୁରକ୍ଷା ଦଇତାପତି ସେବକମାନେ ସ୍ୱତନ୍ତ୍ର ଧ୍ୟାନ ଦେବେ । ଶ୍ରୀଜିଉମାନେ ସ୍ନାନବେଦିକୁ ସମ୍ପୂର୍ଣ୍ଣ ଉଠିବା ପରେ ଟାହିଆଗୁଡ଼ିକ ସମ୍ମାନର ସହ ଖୋଲାଯିବ । ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିର ପରିସରରେ କୌଣସି ପ୍ରକାର ନୃତ୍ୟ ପ୍ରଦର୍ଶନ ନିଷିଦ୍ଧ କରାଯାଇଛି ।

ପହଣ୍ଡି ସମୟରେ ସୀମିତ ସଂଖ୍ୟକ ଘଣ୍ଟୁଆଙ୍କୁ ସ୍ନାନ ମଣ୍ଡପ ଉପରକୁ ଛଡ଼ାଯିବ । ଅନ୍ୟ ଘଣ୍ଟୁଆମାନେ ସ୍ନାନ ମଣ୍ଡପ ପାହାଚ ତଳେ ଘଣ୍ଟ ବଜାଇବେ । ସ୍ନାନ ମଣ୍ଡପରେ ଠାକୁରଙ୍କ ରୁନ୍ଧା ବଢ଼ିବା ପରେ ଠାକୁରଙ୍କ ସମ୍ମୁଖ ଭାଗରେ ସେବକମାନେ ରହିବେ ନାହିଁ । ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହମାନେ ବସିବା ପରେ ସେମାନଙ୍କ ଶ୍ରୀଭୁଜ ଭିତରେ କିମ୍ବା କୌଣସି ଅଙ୍ଗରେ କୌଣସି ସେବକ ଭରାଦେଇ ଛିଡ଼ା ହେବେ ନାହିଁ । ଠାକୁରଙ୍କ ଶ୍ରୀଭୁଜ ବାହାରେ ଦୁଇପାଶ୍ୱର୍ରେ ଦଇତାପତି ସେବକମାନେ ରହିପାରିବେ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବ୍ୟବସ୍ଥାବଳୀରେ ନିୟମ କରିଛି ।

ବ୍ୟବସ୍ଥାବଳୀକୁ ଉଲ୍ଲଂଘନ କଲେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେତାବନୀ ଦେଇଛି । ବ୍ୟବସ୍ଥାବଳୀକୁ କେତେଦୂର ପାଳନ କରାଯାଉଛି ଓ ଉଲ୍ଲଂଘନକାରୀଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ନେଉଛି ଦେଖିବାର କଥା । କାରଣ ଅତୀତରେ ପ୍ରଶାସନ ନିୟମ ଉଲ୍ଲଂଘନ କ୍ଷେତ୍ରରେ କୌଣସି ଠୋସ୍ ପଦକ୍ଷେପ ନେଇନି ।

Leave a Reply

Your email address will not be published. Required fields are marked *

error: Content is protected !!