ମଝି ରାସ୍ତାରେ ଅଟକି ରହିଛି ତିନି ରଥ, ଆଜି ପୁଣି ଆଗକୁ ଗଡିବ

ପୁରୀ :ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିବାରୁ ସନ୍ଧ୍ୟା ପୂର୍ବରୁ ତିନିରଥ ଟାଣିବା ପ୍ରଶାସନ ଓ ସେବକଙ୍କ ପାଇଁ ବଡ଼ ଆହ୍ବାନ ହୋଇଥିଲା। ପ୍ରଶାସନର ସମୟାନୁବର୍ତ୍ତୀ ପଦକ୍ଷେପ ଯୋଗୁଁ ସବୁକିଛି କାର୍ଯ୍ୟ ସୁରୁଖୁରୁରେ ସମ୍ଭବପର ହୋଇପାରିଛି।

ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ରଥ ଉପରକୁ ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥିଲେ। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଇ ବଡ଼ଠାକୁର ଶ୍ରୀବଳଭଦ୍ର ଓ କାଳିଆ ଠାକୁର ଶ୍ରୀଜଗନ୍ନାଥ ଝୁଲି ଝୁଲି ରଥ ଉପରେ ବିଜେ କରିବା ଦୃଶ୍ୟ ଭକ୍ତଙ୍କୁ ବିଭୋର କରିଥିଲା।

ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଚକ୍ରଧାରୀ ଶରଣ ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସମେତ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ରଥଯାତ୍ରା ଦେଖିଛନ୍ତି। ଗହଳି ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ, ୫ କମ୍ପାନୀ ରାପିଡ ଆକ୍ସନ ଫୋର୍ସ, ୮ ପ୍ଲାଟୁନ ଓଏସ୍‌ଏଏଫ୍‌, ୩ୟୁନିଟ ଏସ୍‌ଓଜି, ଆତଙ୍କବାଦୀ ନିରୋଧ ବାହିନୀ, ବୋମା ନିଷ୍କ୍ରିୟକାରୀ ଦଳଙ୍କୁ ନିୟୋଜିତ କରାଯାଇଥିଲା।

ପୁଲିସ ମହାନିର୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ୪ ଅତିରିକ୍ତ ପୁଲିସ ମହାନିର୍ଦେଶକ, ୬ ଆଇଜି ଓ ଡିଆଇଜି, ୨୦ଜଣ ଆରକ୍ଷୀ ଅଧୀକ୍ଷକ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ତଟରକ୍ଷୀ ବାହିନୀ ପକ୍ଷରୁ ସମୁଦ୍ରରେ ପାଟ୍ରୋଲିଂ କରାଯାଇଥିଲା। ବଡ଼ଦାଣ୍ଡ ଦୁଇପାର୍ଶ୍ବ ଏବଂ ଶ୍ରୀମନ୍ଦିର ଚାରିପାଖ କୋଠାଗୁଡ଼ିକରେ ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ ହୋଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଠାକୁରଙ୍କ ନୀତିକାନ୍ତି ପରିଚାଳନା ତଦାରଖ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!