ମହାବାହୁଙ୍କ ବିନା କଳମ ଶାଗରେ କଟୁଛି ମା ଲଷ୍ମୀଙ୍କ ଦିନ

ପୁରୀ :ବଳିୟାରଭୁଜ ଏବେ ଆଡ଼ପମଣ୍ଡପରେ । ଗୁଣ୍ଡିଚା ମନ୍ଦିରରେ ଲାଗିଛି ଭକ୍ତଙ୍କ ଲମ୍ବା ଧାଡି। ବୁଧବାର ବାହାରିଛି ଆଡ଼ପ ଅବଢ଼ା । ଷାଠିଏ ପଉଠି ଭୋଗ ଖାଇଲେ ମହାବାହୁ । ସାରା ସଂସାର ଚଳାଉଥିବା କାଳିଆ ରାଜା ନିଜ କର୍ତବ୍ୟ , ତାଙ୍କ ଦାୟିତ୍ୱ ଭୁଲି ନାହାନ୍ତି । ସବୁବେଳେ ଘର ଚଳାଉଥିବା କାଳିଆ ଠାକୁର ଘର ଛାଡିବା ବେଳେ ପତ୍ନୀଙ୍କ ପାଇଁ ଚାଙ୍ଗଡାରେ ଦେଇ ଆସିଛନ୍ତି ଦୁଇବିଡା କଳମ ଶାଗ ଓ ନଡିଆ, କିଛି ଚାଉଳ ଓ ପନିପରିବା ।

ଏହାକୁ ନେଇ ୯ ଦିନ ଚଳିବେ ମା’ ମହାଲକ୍ଷ୍ମୀ । ରଥଯାତ୍ରାକୁ ନେଇ ଯୋଡି ହୋଇ ରହିଛି ଏଭଳି ଏକ ନିଆରା ପରମ୍ପରା । ଠାକୁର ରଥଯାତ୍ରାରେ ଯିବା ପରେ ଶ୍ରୀମନ୍ଦିର ଜଗମୋହନରେ ଶ୍ରୀଦେବୀ (ଲକ୍ଷ୍ମୀ), ଭୂଦେବୀ, ମାଧବ ପୂଜା ପାଇଥାନ୍ତି ।

ଗବେଷକମାନେ କୁହନ୍ତି, କଥିତ ରହିଛି ମହାପ୍ରଭୁ ଘୋଷଯାତ୍ରାରେ ବାହାରିବା ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କ ଖାଇବା ପିଇବା ବ୍ୟବସ୍ଥା କରିଯାଇଥାନ୍ତି । ତାଙ୍କ ପାଇଁ କଳମ ଶାଗ, ଚାଉଳ ଓ ନଡିଆ ଦେଇ ଯାଇଥାନ୍ତି । କିନ୍ତୁ ଯିବା ସମୟରେ ୭ ଦିନ କହି ଯାଇଥିବା ବେଳେ ଜନ୍ମବେଦିରେ ୯ ଦିନରେ ରହିବା ପରେ ଫେରିଥାନ୍ତି । ବାସ୍ତବିକ ମହାପ୍ରଭୁଙ୍କ ପାଖରେ ନ ପାଇଁ ଦୁଃଖୀ ମନରେ ରହିଛନ୍ତି ମା’ ଲକ୍ଷ୍ମୀ । ସେଥିପାଇଁ ମା’ ଲକ୍ଷ୍ମୀ ବିଳାସରେ ନ ରହି ସାଧାରଣ ଜୀବନଯାପନ କରୁଛନ୍ତି । ସବୁବେଳେ ଖାଉଥିବା ସ୍ୱାଦିଷ୍ଟ ବ୍ୟଞ୍ଜନ ପରିତ୍ୟାଗ କରି କଳମ ଶାଗ, ନଡିଆରେ କାମ ଚଳାଇଥାନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!