ଶ୍ରୀ ନୀଳାଦ୍ରୀ ବିଜେ ମହୋତ୍ସବ ୨୦୨୪

ପୁରୀ : ଶ୍ରୀ ଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଅବସରରେ ଗତକାଲି ପୁରୀ ଶ୍ରୀ ଜଗନ୍ନାଥ ନୀଳାଦ୍ରୀ ସେବା ଟ୍ରଷ୍ଟ ପକ୍ଷରୁ “ନିଳାଦ୍ରୀ ବିଜେ ମହୋତ୍ସବ” ଅନୁଷ୍ଠିତ ହୋଇଯାଇଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସଭାଗୃହରେ ଆୟୋଜିତ ଏହି ଆଧ୍ୟାତ୍ମିକ ମିଳନରେ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ଚକ୍ରଧାରୀ ଚରଣ ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅଲୌକିକ ଲୀଳା ସମ୍ପର୍କରେ ତାଙ୍କର ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିବା ବେଳେ ସେ ଭାବ ବିହ୍ବଳ ହୋଇ ଉଠିଥିଲେ । ଗୌହାଟୀ ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଶ୍ରୀ ସୁମନ୍ ଶ୍ୟାମ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଆଧ୍ୟାତ୍ମିକ ମିଳନରେ ଯୋଗ ଦେବା ତାଙ୍କ ପାଇଁ ମହାପ୍ରଭୁଙ୍କ ଏକ ଅପୂର୍ବ ସଂଯୋଗ ବୋଲି ମତବ୍ୟକ୍ତ କରିଥିଲେ ।

ନୀଳାଦ୍ରି ବିଜେ ମହୋତ୍ସବର ଅଧ୍ୟକ୍ଷା ଡ଼ଃ ରୀନା ରାଉତରାୟଙ୍କ ଅଧ୍ୟକ୍ଷତାରେ ଏବଂ ପ୍ରଫେସର ମୃତ୍ୟୁଞ୍ଜୟ ରଥଙ୍କ ଦ୍ବାରା ପରିଚାଳିତ ଏହି ଆଧ୍ୟାତ୍ମିକ ସଭାରେ ପ୍ରଫେସର ରବୀନ୍ଦ୍ର ନାଥ ରଥ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ଛତିଶା ନିଯୋଗର ମହାନାୟକ ଶ୍ରୀଯୁକ୍ତ ଜନାର୍ଦ୍ଦନ ପାଟଯୋଷି ମହାପାତ୍ରଙ୍କୁ “ଶ୍ରୀ ଜଗନ୍ନାଥ ନୀଳାଦ୍ରୀ ସେବକ ସମ୍ମାନ ୨୦୨୪” ସମ୍ମାନିତ କରାଯାଇଥିଲା ।

ସୁଶ୍ରୀ ସ୍ୱାଗତିକା ଆଚାର୍ଯ୍ୟ ,ଡ଼ଃ ପତିତପାବନ ମହାନ୍ତି ଡ଼ଃ ଶ୍ରୀମତୀ ମୋନାଲିସା ପଟ୍ଟନାୟକ ,ଶ୍ରୀ ମନୋଜ ଜେନା ,ଶ୍ରୀ ଜଗନ୍ନାଥ ଚେତନା ପରିଷଦ ଓ ଗବେଷଣା, ପୁରୀ ,ଶ୍ରୀ ଦିଲ୍ଲୀପ ଜେନା,ଡ଼ଃ ଶଶିଭୂଷଣ ବିଶ୍ଵାଳ,ଡ଼ଃ ଶର୍ମିଲା ଗର୍ ନାୟକ ,ଡ଼ଃ ନିହାର ରଞ୍ଜନ ରାୟଙ୍କୁ ନିଳାଦ୍ରୀ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଓଡ଼ିଶୀ ନୃତ୍ୟ ଶିଳ୍ପୀ ଜ୍ୟୋତିଶ୍ରୀ ମହାପାତ୍ରଙ୍କ ଏକକ ନୃତ୍ୟ ଓ ହରପ୍ରିୟା ଦେବଦାସୀ ନୃତ୍ୟ ପରିଷଦର କୁନି କୁନି ଶିଳ୍ପୀଙ୍କ ଦ୍ବାରା ମାହାରୀ ନୃତ୍ୟ ସମଗ୍ର ସନ୍ଧ୍ୟାର ପରିବେଶକୁ ପବିତ୍ର କରି ଗଢି ତୋଳି ଥିଲା। ଟ୍ରଷ୍ଟର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ସୂର୍ଯ୍ୟ ନାରାୟଣ ସିଂହାରୀ ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମ ପରେ ଶ୍ରୀମନ୍ଦିର ପରିସରରେ ନିଳାଦ୍ରୀ ଅବଢ଼ା ପରିବେଷଣ କରାଯାଇଥିଲା।ତିନି ହଜାରରୁ ଉର୍ଦ୍ଧ୍ଵ ଭକ୍ତ ଏହି ନିଳାଦ୍ରୀ ଅବଢ଼ା ପାଇବା ସହିତ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ।ଟ୍ରଷ୍ଟର ସଦସ୍ୟ ଶ୍ରୀ ଦିଲ୍ଲୀପ ସାମନ୍ତରାୟ, ଶ୍ରୀ ଅରବିନ୍ଦ ଅଗ୍ରୱାଲ ଓ ଶ୍ରୀ ସୂର୍ଯ୍ୟ ନାରାୟଣ ସିଂହାରୀ, ସଞ୍ଜୀବ ରଥଶର୍ମା ଓ ବହୁ ଜଗନ୍ନାଥ ପ୍ରେମୀଙ୍କ ମିଳିତ ଉଦ୍ୟମରେ ଏହି ମହତ କାର୍ଯ୍ୟଟି ଅନୁଷ୍ଠିତ ହୋଇଥିଲା ।

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!