ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ସାହୁ ଭାଙ୍ଗିଲେ ବାଚସ୍ପତି ସୁରମା ପାଢୀଙ୍କ ମାଇକ

ଭୁବନେଶ୍ୱର :ରାଜଭବନ ପରିସରରେ ଜୁଲାଇ ୭ ତାରିଖରେ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ ମାରିଥିଲେ ରାଜ୍ୟପାଳଙ୍କ ପୁଅ ଓ ତାଙ୍କ ସହଯୋଗୀ । ଜଣେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ ମାରିବାର ଅଭିଯୋଗ ହୋଇଛି କିନ୍ତୁ କାର୍ଯ୍ୟାନୁଷ୍ଠାନ କିଛି ହୋଇନି ଏ ଯାଏ । ତେବେ ଘଟଣା ସହ ଓଡିଆ ଅସ୍ମିତାକୁ ଯୋଡି ଏହାକୁ ବଡ ପ୍ରସଙ୍ଗ କରିଛି ବିଜେଡି । ଆଉ ଏଥିରେ ବିଜେଡି ପାଖରେ ଛିଡ଼ା ହୋଇଛି କଂଗ୍ରେସ। ଓଡ଼ିଆ ଅଧିକାରୀଙ୍କୁ ମାଡ ପ୍ରସଙ୍ଗରେ ଉଠୁଛି ପଡୁଛି ରାଜ୍ୟ ବିଧାନସଭା।

ଏହାକୁ ନେଇ ଗତ ଦୁଇ ଦିନ ବିଧାନସଭାରେ ହଙ୍ଗାମା, କାଠଗଡାରେ ସରକାର । କାହିଁକି ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି ? କୁଆଡ଼େ ଗଲା ଓଡିଆ ଅସ୍ମିତା ? କାଲି ରାଜ୍ୟପାଳଙ୍କ ଅଭିଭାଷଣ ବର୍ଜନ କରି କକ୍ଷତ୍ୟାଗ କରିଥିଲେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ ।

ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ଗୃହରେ ଏନେଇ ଆଲୋଚନା କରିବାକୁ ଦାବି କରିଥିଲେ ବିରୋଧୀଦଳର ବିଧାୟକ । ଏହାକୁ ନେଇ ଗୃହ ଭିତରେ ହୋ ହାଲ୍ଲା ଦେଖିବାକୁ ମିଳିଥିଲା । ବିରୋଧୀଦଳ ବିଧାୟକମାନେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଓଡ଼ିଆ ଅସ୍ମିତା କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ । ଏହି ହୋ ହାଲ୍ଲା ଭିତରେ ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତି ସୁରମା ପାଢୀଙ୍କ ପୋଡିୟମ ନିକଟକୁ ଯାଇ ତାଙ୍କ ମାଇକ୍ ଟାଣି ଆଣିଥିଲେ । ମାଇକଟି ତଳେ ପଡିଯିବାରୁ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

error: Content is protected !!