‘ସମ୍ବିଧାନ ହତ୍ୟା ଦିବସ’ କେତେ ସାମ୍ବିଧାନିକ, କେନ୍ଦ୍ର ସରକାରକୁ ନୋଟିସ ଜାରି କଲେ କୋର୍ଟ

ଆହ୍ଲାବାଦ:ଜୁନ୍ ୨୫ କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବରେ ଘୋଷଣା କରିଥିବା ଜୁଲାଇ ୧୩ ବିଜ୍ଞପ୍ତିକୁ ଚ୍ୟାଲେଞ କରି ଏକ ଜନସ୍ୱାର୍ଥ ମାମଲା ଉପରେ ଆହ୍ଲାବାଦ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ପ୍ରତିକ୍ରିୟା ମାଗିଛନ୍ତି। ୨୫ ଜୁନ୍ ୧୯୭୫ ରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ଦ୍ୱାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା।

ଝାନ୍ସିର ଓକିଲ ସନ୍ତୋଷ ସିଂ ଦୋହରେଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମୁଖ୍ଯ ବିଚାରପତି ଅରୁଣ ଭଂସାଲୀ ଏବଂ ବିଚାରପତି ବିକାଶ ବୁଧୱାରଙ୍କ ଏକ ଖଣ୍ଡପୀଠ ଜୁଲାଇ ୩୧ ରେ ଶୁଣାଣି ପାଇଁ ସ୍ଥିର କରି କେନ୍ଦ୍ରଠାରୁ ପ୍ରତିକ୍ରିୟା ମାଗିଛନ୍ତି। ସୋମବାର ଦିନ ଏହି ମାମଲାର ଶୁଣାଣି ଆରମ୍ଭ ହେବା ପରେ କେନ୍ଦ୍ର ସରକାରଙ୍କ ଓକିଲ ଏହି ମାମଲାରେ ଉତ୍ତର ଦାଖଲ କରିବାକୁ ସମୟ ମାଗିଥିଲେ, ଯାହା ଉପରେ କୋର୍ଟ ତାଙ୍କ ଅନୁରୋଧକୁ ଗ୍ରହଣ କରିଥିଲେ।

ଯୁକ୍ତି କଣ ?

ଜୁଲାଇ ୧୩ ତାରିଖର ଗେଜେଟ୍ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏହି ବିଜ୍ଞପ୍ତିକୁ ରଦ୍ଦ କରିବାକୁ ଏହି ଜନସ୍ୱାର୍ଥ ମାମଲା ଦାବି କରିଛି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ୨୫ ଜୁନ୍ ୧୯୭୫ ରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ତତ୍କାଳୀନ ସରକାର ଲୋକଙ୍କ ଅଧିକାରର ଘୋର ଉଲ୍ଲଂଘନ କରିଥିଲେ। ଏହି ଆବେଦନରେ ଯୁକ୍ତି ଦର୍ଶାଯାଇଛି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ସିଧାସଳଖ ଭାରତର ସମ୍ବିଧାନର ବ୍ଯବସ୍ଥା ତଥା ଜାତୀୟ ସମ୍ମାନର ଅପମାନ।

୧୯୭୧ ଅଧିନିୟମର ଧାରା 2 ଅନୁଯାଯ଼ୀ, ସଂସଦ ଘୋଷଣା କରିଛି ଯେ ମୌଖିକ କିମ୍ବା ଲିଖିତ ଶବ୍ଦ ଦ୍ୱାରା ସମ୍ବିଧାନର ଅବମାନନା ପ୍ରଦର୍ଶନ କରିବା ଏକ ଅପରାଧ। ଏଥିରେ କୁହାଯାଇଛି ଯେ ଯେହେତୁ ୧୯୭୫ ରେ ସମ୍ବିଧାନର ବ୍ଯବସ୍ଥା ଅନୁଯାଯ଼ୀ ଜରୁରୀକାଳ ଲାଗୁ କରାଯାଇଥିଲା। ତେଣୁ ଜୁନ୍ ୨୫ କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବରେ ଘୋଷଣା କରିବା ଭୁଲ ଅଟେ।

Leave a Reply

Your email address will not be published. Required fields are marked *

error: Content is protected !!