ନୂଆଦିଲ୍ଲୀ :ମିଳିତ ଜାତିସଂଘର ଦୈନିକ ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ ହଠାତ୍ ଜଣେ ପାଲେଷ୍ଟାଇନ୍ ସାମ୍ବାଦିକ କାଶ୍ମୀର ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ କାଶ୍ମୀରରୁ ଭାରତୀୟ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ମିଳିତ ଜାତିସଂଘ ନୀରବ ରହିଛି।
ଏହି ଧାରା କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ଯତା ପ୍ରଦାନ କରିଥିଲା ଯାହା ୫ ଅଗଷ୍ଟ ୨୦୧୯ ରେ ରଦ୍ଦ କରାଯାଇଥିଲା। ଏହାର ଉତ୍ତରରେ, ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଉପ ମୁଖପାତ୍ର ଫରହାନ୍ ହକ୍ କହିଛନ୍ତି ଯେ କାଶ୍ମୀର ବିବାଦର ସମାଧାନ ଖୋଜିବା ପାଇଁ ୧୯୭୨ ସିମଲା ରାଜିନାମାକୁ ମଧ୍ଯ ଧ୍ୟାନରେ ରଖିବାକୁ ପଡିବ।
କାଶ୍ମୀର ପ୍ରସଙ୍ଗରେ ଆମର ଆଭିମୁଖ୍ଯ ବଦଳି ନାହିଁ। ଜାମ୍ମୁ କାଶ୍ମୀର ସମ୍ବନ୍ଧୀୟ ବିବାଦର ଚୂଡ଼ାନ୍ତ ସମାଧାନ ଶାନ୍ତିପୂର୍ଣ୍ଣ ଉପାୟରେ ଏବଂ ମିଳିତ ଜାତିସଂଘର ଚାର୍ଟର ଅନୁଯାଯ଼ୀ ମାନବିକ ଅଧିକାର ପ୍ରତି ସମ୍ପୂର୍ଣ୍ଣ ସମ୍ମାନ ସହିତ ହେବା ଉଚିତ।
ଭାରତ ଏବଂ ପାକିସ୍ତାନ ମଧ୍ଯରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ୧୯୭୨ ରାଜିନାମା, ଯାହାକୁ ସିମଲା ରାଜିନାମା ମଧ୍ଯ କୁହାଯାଏ, ତାହାକୁ ମଧ୍ଯ ମହାସଚିବ ସ୍ମରଣ କରିଥିଲେ। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଜୁଲ୍ଫିକାର ଅଲି ଭୁଟ୍ଟୋଙ୍କ ମଧ୍ଯରେ ବାଂଲାଦେଶର ସ୍ୱାଧୀନତା ପରେ ଶିମଲାରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଦୁଇ ଦେଶ ମଧ୍ଯରେ ହୋଇଥିବା ରାଜିନାମା ଅନୁସାରେ କାଶ୍ମୀର ସମେତ ପଡ଼ୋଶୀ ଦେଶଗୁଡ଼ିକ ମଧ୍ଯରେ ବିବାଦ ଦ୍ୱିପାକ୍ଷିକ ପ୍ରସଙ୍ଗ, ଯାହାର ସମାଧାନ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ବିନା ହେବା ଉଚିତ।
ହକ୍ କହିଛନ୍ତି ଯେ ମିଳିତ ଜାତିସଂଘ ଏହାର ଚାର୍ଟର୍ ଏବଂ ପ୍ରଯୁଜ୍ଯ ସୁରକ୍ଷା ପରିଷଦ ସଂକଳ୍ପ ଦ୍ୱାରା ପରିଚାଳିତ |