ତ୍ରିରଙ୍ଗା ଆମ ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ:ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମହାଲିଙ୍ଗ

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ ) : ତ୍ରିରଙ୍ଗା ଆମ ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ।୧୯୪୭ ମସିହା ଆଜିର ଦିନରେ ଅଗଣିତ ସତ୍ୟନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଙ୍କ ତ୍ୟାଗ ଓ ବଳିଦାନକୁ ପାଥେୟ କରି ଆମେ ପାଇଥିଲୁ ବହୁ ପ୍ରତିକ୍ଷିତ ସ୍ୱାଧୀନତା ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ସଂସଦୀୟ ବ୍ୟାପାର ,ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ।ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ଲେକ୍ସ ଠାରେ ୭୮ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଡଃ ମହାଲିଙ୍ଗ ଜାତୀୟ ପତାକା ଉତ୍ତୋଳନ,ସମ୍ମିଳିତ ପାରେଡରେ ଅଭିବାଦନ ଗ୍ରହଣ କରି ଶ୍ରୀକ୍ଷେତ୍ର ପୁରୀ ବାସୀ ଙ୍କୁ ସ୍ୱାଧୀନତା ଦିବସ ର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସମେତ ସମସ୍ତ ବରପୁତ୍ର ମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ପୁରୀବାସୀଙ୍କ ସହଯୋଗ ଯୋଗୁଁ ଚଳିତବର୍ଷ ରଥଯାତ୍ରା ଅତ୍ୟନ୍ତ ଶାନ୍ତି ଓ ଶୃଙ୍ଖଳାର ସହିତ ସଂପୂର୍ଣ୍ଣ ହୋଇ ପାରିଥିବାରୁ ମନ୍ତ୍ରୀ ରାଜ୍ୟ ସରକାରଙ୍କ ତରଫରୁ ପୁରୀବାସୀ ଓ ପୁରୀ ପ୍ରଶାସନକୁ ସାଧୁବାଦ ଜ୍ଞାପନ କରିଥିଲେ ।

ଚଳିତ ରାଜ୍ୟ ବଜେଟ୍‌ରେ ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ ଘଟିଛି । ଏହି ବଜେଟରେ ଏକ ବିକଶିତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ଗରିବ, ମହିଳା, ଯୁବବର୍ଗ ଓ କୃଷକମାନଙ୍କ ଉପରେ ଗୁରତ୍ୱ ଦିଆଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଯୋଗାଯୋଗ ଓ ପରିବହନ, ମହିଳା ସଶକ୍ତିକରଣ, ଶିଳ୍ପ, ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟନ, ଖାଦ୍ୟ ସୁରକ୍ଷା, ଯୁବ ସଶକ୍ତିକରଣ ଆଦି କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି ।

ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡର ବ୍ୟୟବରାଦ କରାଯାଇଛି ।ଓଡ଼ିଆ ଅସ୍ମିତାର ପୁନରୁଦ୍ଧାର ଏବଂ ସୁରକ୍ଷା ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରାଯାଇଛି ।ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତିଭୂମି ବିକାଶ ସହ ମାନବ ସମ୍ବଳର ଉପଯୁକ୍ତ ପରିଚାଳନା, ଆବଶ୍ୟକୀୟ ଯାନ୍ତ୍ରିକ ଉପକରଣର କ୍ରୟ ଏବଂ ଅତ୍ୟାବଶ୍ୟକୀୟ ଔଷଧ ଓ ସମାଗ୍ରୀଗୁଡ଼ିକୁ ଉପଲବ୍ଧ କରାଇ ରାଜ୍ୟବାସୀଙ୍କୁ ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ।

ଜନସ୍ୱାସ୍ଥ୍ୟ ସେବା କୁ ଗୁରୁତ୍ୱ ଦିଆଯାଇ ମୋଟ ୨୧ ହଜାର ୨୦୦ କୋଟି ଟଙ୍କାର ଆବଣ୍ଟନ ରହିଛି । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୫ ହଜାର ୪୫୦ କୋଟି ଟଙ୍କାର ବ୍ୟୟବରାଦ ରହିଛି । ସେହିପରି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ ରହିଛି ।ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୨ ହଜାର ୪୬୨ କୋଟି ଟଙ୍କା, ଆମ ହସ୍ପିଟାଲ ପାଇଁ ୧ ହଜାର ୩୧୪ କୋଟି ଟଙ୍କା, ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୩୬୪ କୋଟି ଟଙ୍କା, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୨ ହଜାର ୯୫ କୋଟି ଟଙ୍କାର ବ୍ୟୟବରାଦ ରହିଛି ।

ଏହି ସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ ଫଳରେ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ।ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩୧ ଶହ ଟଙ୍କାକୁ ବୃଦ୍ଧି କରାଯିବା ଆମ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ପ୍ରତି ସବ୍‌-ଡିଭିଜନ୍‌ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବାକୁ ଯାଉଛି । ପିଏମ୍‌- କିଷାନ୍‌ ଯୋଜନା ଓ ସମୃଦ୍ଧ କୃଷକ ଯୋଜନା କାର୍ଯ୍ୟକାରୀ ହେଉଛି ।ରାଜ୍ୟର ମହିଳାମାନଙ୍କ ଆର୍ଥିକ ଉନ୍ନତି ପାଇଁ “ସୁଭଦ୍ରା ଯୋଜନା’’ରେ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେପ୍ଟେମ୍ବର ୧୭ ତାରିଖରେ ଏହାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ।

ଶିକ୍ଷାକ୍ଷେତ୍ରରେ ଅଧିକ ବିକାଶ ପାଇଁ ପିଏମ୍‌ଶ୍ରୀ ସ୍କୁଲ ଯୋଜନା, ପଞ୍ଚସଖା ଶିକ୍ଷାସେତୁ ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଭଳି ଅନେକ ସମୟ ଉପଯୋଗୀ ଯୋଜନା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଡଃ ମହାଲିଙ୍ଗ କହିଥିଲେ।ପରେ ମନ୍ତ୍ରୀ ଊଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ,ଏ ଡି ଏମ ଓ ଡା ବିରଜା ଶଙ୍କର ରଥ, ପାମସରା ସବ ସେଣ୍ଟର କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ ଜଗନ ଓଝା ଓ ସ୍ୱୟଂ ପ୍ରଭା ପ୍ରଧାନ, ଆଗ୍ନିକ ବଟକୃଷ୍ଣ ମହା ମାନସିଂ,ରାଜେସ ପ୍ରଧାନ,ସଫେଇ କର୍ମଚାରୀ ଟୁନି ଦେଈ,ବାବୁନା ନାୟକ,ଜାତୀୟ କ୍ରିଡା ରେ ସଫଳ ହୋଇ ଥିବା ଥ୍ରୋ ବଲ ଓ ଖୋ ଖୋ ଦଳଙ୍କୁ,ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ପାରେଡ ର ଶ୍ରେଷ୍ଠ ଦଳଙ୍କୁ ପୁରସ୍କୃତ କରାଯାଇଥିଲା।

ପରେ ଷ୍ଟାଡିୟମ ପରିସରରେ ବୃକ୍ଷ ରୋପଣ, ଉତ୍କଳ ବାଳାଶ୍ରମ ର ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ଓ ପୋଷାକ ବଣ୍ଟନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ରୋଗୀ ମାନଙ୍କୁ ଫଳ ବଣ୍ଟନ ଏବଂ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏକ ରକ୍ତ ଦାନ ଶିବିରକୁ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମ ରେ ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ପିନାକ ମିଶ୍ର ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି , ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଅନ୍ୟାନ୍ୟ ଅଧିକାରୀ , ଗଣମାଧ୍ୟମ ପ୍ରତିନିଧି,ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ।

ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯାଇଥିଲା।ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ଗାନ୍ଧୀ ଘାଟ ଠାରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସର୍ବୋଦୟ କମିଟି ସହଯୋଗ ରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।ସମସ୍ତ କାର୍ଯ୍ୟକ୍ରମ କୂ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପରିଚାଳନା କରା ଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!