ଜାମ୍ମୁ-କାଶ୍ମୀରର ପରବର୍ତୀ DGP ଭାବେ ଆଇପିଏସ ନଳିନ ପ୍ରଭାତ ନିଯୁକ୍ତ

ନୂଆଦିଲ୍ଲୀ : ଆଇପିଏସ୍ ନଳିନ ପ୍ରଭାତ ଜାମ୍ମୁ କାଶ୍ମୀରର ନୂତନ ଡିଜିପି ହେବେ। କେନ୍ଦ୍ର ସରକାର ତାଙ୍କ ନାମ ଘୋଷଣା କରିଛନ୍ତି। କ୍ୟାବିନେଟ ନିଯୁକ୍ତି କମିଟି ଏନ୍.ଏଲ୍.ଜି. ର ବର୍ତ୍ତମାନର ମହାନିର୍ଦ୍ଦେଶକ ନଳିନ ପ୍ରଭାତଙ୍କୁ ତିନି ବର୍ଷ ପାଇଁ ଜାମ୍ମୁ-କାଶ୍ମୀରର ଡିଜିପି ଭାବେ ନିଯୁକ୍ତ କରିଛନ୍ତି। ସେ ଆନ୍ଧ୍ର ପ୍ରଦେଶର ୧୯୯୨ ବ୍ୟାଚ ଆଇପିଏସ୍ ଅଧିକାରୀ। ବର୍ତ୍ତମାନ ଆର୍.ଆର୍. ସ୍ୱାଇଁ ଜାମ୍ମୁ-କାଶ୍ମୀରର ଡିଜିପି ଅଛନ୍ତି। ନଳିନ ପ୍ରଭାତ ଏବେ ତାଙ୍କ ସ୍ଥାନ ନେବେ। ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ଏହି ନିଯୁକ୍ତିକୁ ଅନୁମୋଦନ କରିଥିଲେ।

ନଳିନ ପ୍ରଭାତ ହିମାଚଳ ପ୍ରଦେଶର ମନାଲିର ବାସିନ୍ଦା। ଏନ୍. ଏସ୍. ଜି. ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେବା ପୂର୍ବରୁ ସେ ସି.ଆର୍.ପି.ଏଫ୍. ର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ କାର୍ଯ୍ଯ କରିଥିଲେ। ଏନ୍.ଏସ୍.ଜି.ର ମୁଖ୍ଯ ଭାବେ ନିଯୁକ୍ତ ହୋଇଥିବାରୁ ମୁଖ୍ଯମନ୍ତ୍ରୀ ସୁଖବିନ୍ଦ ସିଂହ ସୁଖୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ନୂତନ ଡିଜିପି ଭାବେ ନଳିନ ପ୍ରଭାତଙ୍କ ସମ୍ମୁଖରେ ଆତଙ୍କବାଦର ମୁକାବିଲା କରିବା ଏକ ବଡ଼ ଆହ୍ୱାନ ହେବ।

ତାଙ୍କ ନିଯୁକ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଜଣେ ସେନା ଅଧିକାରୀ ପ୍ରାଣ ହରାଇଥିଲେ। ବୁଧବାର ଦିନ ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାର ଉଚ୍ଚ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଜଣେ ସେନା କ୍ୟାପଟେନ୍ ନିହତ ହୋଇଥିଲେ ଏବଂ ଜଣେ ଆତଙ୍କବାଦୀ ମଧ୍ଯ ନିହତ ହୋଇଥିଲା ।

ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଘଟିଥିବା ଏହି ଏନକାଉଣ୍ଟରରେ ଜଣେ ସାଧାରଣ ନାଗରିକ ମଧ୍ଯ ଆହତ ହୋଇଥିଲେ। ନିକଟରେ ଜାମ୍ମୁ ଅଞ୍ଚଳରେ ଆତଙ୍କବାଦୀ ଘଟଣା ବୃଦ୍ଧି ପାଇଛି। ଜାମ୍ମୁ କାଶ୍ମୀରର ଉଧମପୁର-ଡୋଡା-କିଶ୍ତୱାର ଅଞ୍ଚଳରେ ଗତ କିଛି ଦିନ ମଧ୍ଯରେ ଏହା ଚତୁର୍ଥ ଏନକାଉଣ୍ଟର। ଅନ୍ଯପକ୍ଷରେ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମଧ୍ଯ ପ୍ରସ୍ତୁତି ଜୋରଦାର ହୋଇଛି।

ନିର୍ବାଚନ ଆଯ଼ୋଗ ଗତ ସପ୍ତାହରେ ଜାମ୍ମୁ-କାଶ୍ମୀରରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଲୋକସଭା ନିର୍ବାଚନରେ ଜାମ୍ମୁ-କାଶ୍ମୀରରେ ରେକର୍ଡ ସଂଖ୍ଯକ ମତଦାନ ହୋଇଥିଲା। ଜାମ୍ମୁ-କାଶ୍ମୀରରେ ନିର୍ବାଚନ ପ୍ରକ୍ରିୟା ସାଧାରଣତଃ ଏକ ମାସ ପର୍ଯ୍ଯନ୍ତ ଚାଲିଥାଏ। ସୀମା ନିର୍ଦ୍ଧାରଣ ପ୍ରକ୍ରିଯ଼ା ପରେ, ପାକିସ୍ତାନ ଅଧିକୃତ କାଶ୍ମୀରକୁ ଆବଣ୍ଟିତ ଆସନଗୁଡ଼ିକୁ ବାଦ ଦେଇ ବିଧାନସଭା ଆସନ ସଂଖ୍ୟା ୮୩ରୁ ୯୦କୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *

error: Content is protected !!