ରାଞ୍ଚି : ବିଧାନସଭା ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡରେ ଶାସକ ଜେଏମଏମକୁ ଏକ ବଡ଼ ଝଟକା ଲାଗିପାରେ। ରାଜ୍ଯର ପୂର୍ବତନ ମୁଖ୍ଯମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସମେତ ଦଳର କିଛି ବିଧାୟକ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି। ନିକଟରେ ଜେଏମଏମ୍ ରୁ ବହିଷ୍କୃତ ବିଧାଯ଼କ ଲୋବିନ୍ ହେମ୍ବ୍ରାମ୍ ମଧ୍ଯ ଦଳ ସହିତ ଯୋଗାଯୋଗରେ ଅଛନ୍ତି।
ରାଜ୍ୟରେ ନଭେମ୍ବର – ଡିସେମ୍ବର ରେ ବିଧାନସଭା ନିର୍ବାଚନ ହେବ
ବିଜେପି ସୂତ୍ରରୁ ପ୍ରକାଶ ଯେ ଚମ୍ପାଇ ସୋରେନ ରାଜ୍ଯ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ସେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ସହ ଦୁଇ ରାଉଣ୍ଡ ଆଲୋଚନା କରିଛନ୍ତି। ଚମ୍ପାଇ ଏବେ ଦିଲ୍ଲୀରେ ଅଛନ୍ତି। ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାର କାର୍ଯ୍ଯ଼କ୍ରମ ରହିଛି। ଏହି ବୈଠକ ପରେ ଚମ୍ପାଇ କିଛି ଜେଏମଏମ ବିଧାୟକଙ୍କ ସହ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି। ଏକ ଦୁର୍ନୀତି ମାମଲାରେ ଜେଲ ଯିବା ପୂର୍ବରୁ ହେମନ୍ତ ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଚମ୍ପାଇଙ୍କୁ ମୁଖ୍ଯମନ୍ତ୍ରୀ କରାଯାଇଥିଲା। ଅଦାଲତରୁ ଜାମିନ ପାଇବା ପରେ ଚମ୍ପାଇ ହେମନ୍ତଙ୍କ ଉତ୍ତରାଧିକାରୀ ହେବା ପାଇଁ ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ବଦଳରେ ଚମ୍ପାଇଙ୍କୁ ହେମନ୍ତ କ୍ୟାବିନେଟରେ ସାମିଲ କରାଯାଇଥିଲା।
ଚମ୍ପଇ ସୋରେନ କିଏ ?
ଚମ୍ପାଇ ସୋରେନ ଝାଡ଼ଖଣ୍ଡ ବିଧାନସଭାର ଜଣେ ସଦସ୍ଯ। ବର୍ତ୍ତମାନ ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ସେରାଇକେଲା ବିଧାନସଭା ଆସନରୁ ବିଧାଯ଼କ ଅଛନ୍ତି। କ୍ୟବିନେଟ ମନ୍ତ୍ରୀ ଭାବେ ସେ ହେମନ୍ତ ସୋରେନଙ୍କ ସରକାରରେ ପରିବହନ, ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ସମ୍ଭାଳିଥିଲେ। ଚମ୍ପାଇ ୧୯୭୪ ରେ ଜାମସେଦପୁରର ରାମ କୃଷ୍ଣ ମିଶନ ହାଇସ୍କୁଲରୁ ଦଶମ କରିଥିଲେ।
ଝାଡ଼ଖଣ୍ଡ ଟାଇଗର “ନାମରେ ଜଣାଶୁଣା
ଯେତେବେଳେ ବିହାରରୁ ଅଲଗା ଝାଡ଼ଖଣ୍ଡ ରାଜ୍ଯ ପାଇଁ ଦାବି ଉଠୁଥିଲା, ସେତେବେଳେ ଚମ୍ପାଇଙ୍କ ନାମକୁ ନେଇ ଅନେକ ଆଲୋଚନା ହୋଇଥିଲା। ଶିବୁ ସୋରେନଙ୍କ ସହ ଚମ୍ପାଇ ମଧ୍ଯ ଝାଡ଼ଖଣ୍ଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ଏହା ପରେ ହିଁ ଲୋକମାନେ ତାଙ୍କୁ ‘ଝାଡ଼ଖଣ୍ଡ ଟାଇଗର “ବୋଲି ଡାକିବାକୁ ଲାଗିଲେ।