ସୁନ୍ଦରଗଡ଼: କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମ୍ ଙ୍କ ପରଲୋକ ହୋଇଯାଇଛି । ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ କିଛିଦିନ ହେବ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଶନିବାର ବିଳମ୍ବିତ ରାତି ୧୦ଟା ୫୦ ମିନିଟରେ ଝିଙ୍ଗିଆଙ୍କ ମାତ୍ର ୫୮ ବର୍ଷରେ ପରଲୋକ ହୋଇଥିବା ଜଣାପଡ଼ିଛି ।
ଖବର ଅନୁଯାୟୀ ନିକଟରେ ଜୁଏଲ ଓରାମ ଓ ତାଙ୍କ ପତ୍ନୀ ଉତ୍ତର ପୂର୍ବ ରାଜ୍ୟ ଗସ୍ତରେ ଯାଇଥିଲେ । ଏହାପରେ ସେଠୁ ଫେରିବା ପରେ ଉଭୟ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ସୂଚନାଯୋଗ୍ୟ, ୧୯୮୭ ମସିହା ମାର୍ଚ୍ଚ ୮ରେ ଜୁଏଲ ଓ ଝିଙ୍ଗିଆ ବିବାହ କରିଥିଲେ । ଉଭୟଙ୍କ ଦୁଇଟି ଝିଅ ଅଛନ୍ତି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଜେ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ଝିଙ୍ଗିଆଙ୍କ ବିୟୋଗ ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବାଚସ୍ପତି ସୁରମା ପାଢ଼ୀ ଏବଂ ଅନ୍ୟ ବିଜେପି ନେତା ବିଳମ୍ବିତ ରାତିରେ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚି ସ୍ୱର୍ଗତ ଝିଙ୍ଗିଆ ଓରାମଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଭୁବନେଶ୍ୱରସ୍ଥିତ ବାସଭବନରୁ ବାହାରିଥିବା କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ପତ୍ନୀ ଝିଙ୍ଗିଆଙ୍କ ପାର୍ଥିବ ଶରୀର ସକାଳ ୯ ଟା ୧୫ ମିନିଟରେ ଲହୁଣୀପଡ଼ା ବ୍ଲକ କେନ୍ଦୁଡ଼ିହିରେ ପହଞ୍ଚିଛି। ଜୁଏଲଙ୍କ ପୈତୃକ ଘରେ ପତ୍ନୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ରଖା ଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ରାଉରକେଲା ଏସପି ବ୍ରିଜେଶ ରାୟ ଓ ବଣାଇଁ ଉପଜିଲ୍ଲାପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଶେଷ ଦର୍ଶନ କରିଛନ୍ତି।