ଜିଲ୍ଲା ସ୍ତରୀୟ ବିକାଶ ମେଳା ଆୟୋଜନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ସୁବର୍ଣ୍ଣପୁର (ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ):ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ବିକାଶ ମେଳାର ଆୟୋଜନ ପରିପ୍ରେକ୍ଷୀରେ ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି I ଆସନ୍ତା ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ସୋନପୁର ସହରର ରୟାଲ ପଡ଼ିଆଠାରେ ଏହି ଜିଲ୍ଲାସ୍ତରୀୟ ବିକାଶ ମେଳା ଆୟୋଜିତ ହେବ। ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ଉନ୍ନୟନମୂଳକ ଫଳପ୍ରସୂ ଯୋଜନା ଗୁଡିକୁ ଜନସାଧାରଙ୍କୁ ଅବଗତ ଓ ସଚେତନ କରିବା ପାଇଁ ଏହି ବିକାଶ ମେଳା ଆୟୋଜିତ କରାଯାଉଛି I ଓଡିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପୂର୍ତ୍ତ, ମିଶନ ଶକ୍ତି, ସୂଚନା ଓ ଲୋକସମ୍ପର୍କ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କୃଷି, ଉଦ୍ୟାନ କୃଷି, ପର୍ଯ୍ୟଟନ, ଶିକ୍ଷା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ସମସ୍ତ ବିଭାଗର ସମନ୍ବିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସ୍ଥିର ହୋଇଛି I

୩ ଦିନ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଲୋକକଳା ଏବଂ ଅନ୍ୟାନ୍ୟ ସାଂସ୍କୃତିକ ଦଳ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ I ୩୦ ଷ୍ଟଲ ବିଶିଷ୍ଟ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀର ଆୟୋଜନ କରାଯିବ I ପ୍ରତି ଦିନ ୫ ରୁ ୬ ହଜାର ଜନସାଧାରଣଙ୍କ ସମାଗନ ହେବ ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଜନସାମାବେଶ, ଉନ୍ନୟନ ପ୍ରଦର୍ଶନୀ, ସୁଭଦ୍ରା ଯୋଜନାର ହିତାଧିକାରୀ ସମେତ ଅନ୍ୟାନ୍ୟ ବିଭିନ୍ନ ବିଭାଗର ହିତାଧିକାରୀଙ୍କୁ ଅତିଥିଙ୍କ ଦ୍ୱାରା ସହାୟତା ବଣ୍ଟନ କରାଯିବ l ଏହାପରେ ସ୍ଥାନୀୟ ଲୋକକଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଆସନ୍ତା କାଲି ୨୦ ତାରିଖରେ ହେବାକୁ ଥିବା ଉଦ୍ଘାଟନ ସମାରୋହରେ ମାନ୍ୟବର ମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା, ସ୍ବାସ୍ଥ୍ୟ ପରିବାର କଲ୍ୟାଣ, ସଂସଦ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିକାଶ ମେଳାକୁ ଉଦ୍‌ଘାଟନ କରିବେ।

ସମ୍ମାନନୀୟା ସାଂସଦ ବଲାଙ୍ଗୀର ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ, ମାନ୍ୟବର ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ବିରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପରା ଠେଲା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମଲ, ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ସମ୍ମାନୀତ ଅତିଥିଭାବରେ ଯୋଗଦେବ ବୋଲି ଜିଲ୍ଲାପାଳ ଅନ୍ୟା ଦାସ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମଳନୀରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଅନ୍ୟାନ୍ୟ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୂଖ ଯୋଗଦେଇଥିଲେ lରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!