ନିପୁଣ ଓଡ଼ିଶା ମିଶନ ଜିଲ୍ଲାସ୍ତରୀୟ ଶୁଭ ଉନ୍ମୋଚନ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ): ପୁରୀ ଜିଲ୍ଲା ପ୍ରଶାସନ ଓ ସମଗ୍ର ଶିକ୍ଷା ମିଳିତ ଆନୁକୁଲ୍ୟରେ ବୁଧବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିପୁଣ ଓଡ଼ିଶା ମିଶନ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଶୁଭ ଉନ୍ମୋଚନ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ସମରଥ,ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ପରିଡ଼ା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ତନୁପ୍ରଭା ବେଉରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ତ୍ରିପାଠୀ ଙ୍କ ଉପସ୍ଥିତିରେ ନିପୁଣ ଓଡ଼ିଶା ମିଶନ ଲୋଗୋ, ଲିଫ୍ଲେଟ ଓ ସଂଗୀତ ର ଶୁଭ ଉନ୍ମୋଚନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ର ସମସ୍ତ ବ୍ଲକର ଶିକ୍ଷା ଅଧିକାରୀ,ସମ୍ବଳ ଅଧିକାରୀ,ପ୍ରଧାନଶିକ୍ଷକ ଏବଂ ଆଞ୍ଚଳିକ ସାଧନ ସଂଯୋଜକ, ବିଭିନ୍ନ NGO ସଂସ୍ଥା ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ସମସ୍ତ ଶିକ୍ଷକ ପ୍ରଶିକ୍ଷକ ଓ ପ୍ରଶିକ୍ଷିକା ଯୋଗ ଦେଇଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପାଢ଼ୀଙ୍କ ମତରେ ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ମୂଳଦୁଆ ସୁଦୃଢ ହେଲେ ସେମାନଙ୍କ ମଧ୍ୟରେ ଭାଷା ଓ ଗଣିତ କ୍ଷେତ୍ରରେ ସର୍ବନିମ୍ନ ଦକ୍ଷତା ଗୁଡ଼ିକ ସୁନିଶ୍ଚିତ ହେବା ସହିତ ସେମାନଙ୍କର ଚିନ୍ତନ,ସମସ୍ୟା ସମାଧାନ ନିର୍ଣ୍ଣୟ କରିବାର କୌଶଳ ଓ ଦକ୍ଷତା ବୃଦ୍ଧି ପାଇବାରେ ସହାୟକ ହୋଇଥାଏ। ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ପରିଡ଼ା ନିପୁଣ ଓଡ଼ିଶାର ଉଦ୍ଦେଶ୍ୟ,ଏହାର କାର୍ଯ୍ୟକାରିତା ଓ କ୍ରିୟାନ୍ଵୟନ ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ରମେଶ କୁମାର ସାହୁ ଅତିଥି ମାନଙ୍କୁ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଆରମ୍ଭ କରିବା ପାଇଁ ଅନୁରୋଧ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ସମର୍ଥ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ସ୍ଵାଧୀନ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ପ୍ରକାଶ ଥାଉକି ରାଜ୍ୟ ସରକାର ଉକ୍ତ କାର୍ଯ୍ୟକ୍ରମକୁ ସେପ୍ଟେମ୍ବର ୫ ୨୦୨୪ ପବିତ୍ର ଗୁରୁଦିବସ ଦିନ ରଜ୍ୟସ୍ତରରେ ଶୁଭାରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat