କୋଣାର୍କରେ ଇକୋ ରିଟ୍ରିଟ୍ ଡିସେମ୍ବର ୧୫ ରୁ,ଭିତ୍ତିଭୂମି ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ )କୋଣାର୍କ ମେରାଇନ ଡ୍ରାଇଭ ଠାରେ ଇକୋ ରିଟ୍ରିଟ୍ ଚଳିତ ବର୍ଷ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହେବ।ତେବେ ସମସ୍ତ ବିଭାଗ ସେମାନଙ୍କୁ ନ୍ୟସ୍ତ ଦାୟିତ୍ୱ କୁ ତ୍ୱରାନ୍ୱିତ କରିବା ଡିସେମ୍ବର ୧ ସୁଦ୍ଧା ଭିତ୍ତିଭୂମି ପ୍ରସ୍ତୁତ ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଯେଉଁ ବିଭାଗର ଯାହା ଦାୟିତ୍ୱ ତାହାକୁ ନିଷ୍ଠାପର ଓ ଧାର୍ଯ୍ୟ ସମୟ ପୂର୍ବରୁ ସାରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବିଭାଗ ପ୍ରତ୍ୟେକ ଙ୍କ ସହ ସମନ୍ବୟ ରଖି କାମ କରି ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ କହିଥିଲେ। ପର୍ଯ୍ୟଟନ ବିଭାଗ ଜିଲ୍ଲା ପ୍ରଶାସନ ଓ ଇ ଫାକ୍ଟର ଏଜେନ୍ସି ର ମିଳିତ ସହଯୋଗ ରେ ଇକୋ ରିଟ୍ରିଟ୍ ଚଳିତ ବର୍ଷ ଡିସେମ୍ବର ୧୫ ରୁ ୩ ମାସ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଇକୋ ରିଟ୍ରିଟ୍ ସମୟରେ ଜଳକ୍ରିଡା,ବିଚ ସ୍ପୋର୍ଟସ, ଇଣ୍ଡୋର ଗେମ ଇତ୍ୟାଦି ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ। ନିରବଛିନ୍ନ ବିଦ୍ୟୁତ ଯୋଗାଣ, ପାଣି ଯୋଗାଣ, ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ରାସ୍ତା ଆଲୋକୀକରଣ, ମୋବାଇଲ ନେଟୱାର୍କ ସହ ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା,ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା,୨୪ ଘଣ୍ଟିଆ ଲାଇଫ ଗାର୍ଡ ବ୍ୟବସ୍ଥା କରାଯିବ।

ପର୍ଯ୍ୟଟକ ମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ ବୋଲି ସ୍ଥିର ହୋଇଛି। ସମସ୍ତ କାର୍ଯ୍ୟ କୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଆସୁଥିବା ପର୍ଯ୍ୟଟକ ମାନେ ଯେପରି ଏକ ସୁଖଦ ଅନୁଭବ ନେଇ ଫେରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଡିଏଫଓ ବିବେକ କୁମାର,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି,ସିଡ଼ିଏମଓ ଡା ରୂପଭାନୁ ମିଶ୍ର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ଅନ୍ୟାନ୍ୟ ବିଭାଗ,ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ ଇକୋ ରିଟ୍ରିଟ୍ ର ଆୟୋଜନ କରୁଥିବା ଇ ଫାକ୍ଟର ର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।ଇକୋ ରିଟ୍ରିଟ ପାଇଁ ବର୍ତ୍ତମାନ ଠାରୁ ବୁକିଂ bookodisha.com ଓ odishaecoretreats.com ରେ ଆରମ୍ଭ ହୋଇଛି ବୋଲି ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!