ଭୁବନେଶ୍ୱର : ପୂର୍ବରୁ ଅନେକ ସମୟରେ ନିଜ ଟିପ୍ପଣୀ ପାଇଁ ହରଡ ଘଣାରେ ପଡ଼ିଥିବା ପୁଣି ୟୁଟ୍ୟୁବର ଶଙ୍କର ଓମ୍ ସରଣ ଓରଫ ଉମାଶଙ୍କର ପାଣିଗ୍ରାହୀ ପୁଣି ଗିରଫ ହୋଇଛନ୍ତି। ପୂର୍ବରୁ ବିଭିନ୍ନ ଘଟଣାରେ ଯଥା ବିଭିନ୍ନ ଜିଲ୍ଲାର ଝିଅଙ୍କ ଉପରେ ନିଜ କବିତାରେ ଚରିତ୍ର ସଂହାର, ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅଶାଳୀନ ବ୍ୟବହାର, ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଉପରେ ଟିପ୍ପଣୀ କରି ବିବାଦରେ ଥିଲେ।ଏବେ ଏକ ନୁଆଁ ବିବାଦରେ ଭୁବନେଶ୍ୱର ସାଇବର ଥାନା ପୁଲିସ ତାଙ୍କୁ ବାଲେଶ୍ୱରରୁ ଗିରଫ କରିଛି। ଅଭିଯୋଗ ଅନୁସାରେ, ଶଙ୍କର ଓମ୍ ନିଜ ୟୁଟ୍ୟୁବ ଚ୍ୟାନେଲରେ ବିଭିନ୍ନ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଓ କଟୁ ଶବ୍ଦ ବ୍ୟବହାର କରିଥିଲେ।
ଏନେଇ ଜଣେ ମହିଳା ଗତ ୧୨ ତାରିଖରେ କ୍ୟାପିଟାଲ୍ ଥାନାରେ ଲିଖିତ ଅଭଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶଙ୍କର ଓମ୍ଙ୍କ ନାଁରେ ପୂର୍ବରୁ ମଧ୍ୟ ମାମଲା ରହିଛି। ତାଙ୍କ ନାଁରେ ସିମୁଳିଆ ଓ ମହିଳା ଥାନାରେ ମାମଲା ଥିବା ଏସିପି ଅଞ୍ଜନା ଟୁଡୁ କହିଛନ୍ତି। ଅଭିଯୋଗକାରିଣୀଙ୍କ ଅଭିଯୋଗ ଅନୁସାରେ, ଶଙ୍କର ୧୨ ବର୍ଷ ତଳର ମୋର ଏକ ଭିଡ଼ିଓକୁ ବ୍ୟବହାର କରି ନାନା ଖରାପ ଶବ୍ଦ କହିଥିଲେ। ଏ ନେଇ କ୍ୟାପିଟାଲ୍ ଥାନାରେ ଲିଖିତ ଅଭିଯୋଗ କରିଥିଲି ବୋଲି ପୀଡ଼ିତା କହିଛନ୍ତି।
