ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆୟୋଜିତ ହେବ ସି.କେ.ନାଇଡୁ କ୍ରିକେଟ ଟ୍ରଫି

ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆସନ୍ତା ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ୨୩ବର୍ଷରୁ କମ୍‌ ସି. କେ. ନାଇଡୁ କ୍ରିକେଟ ଟ୍ରଫି ଅନୁଷ୍ଠିତ ହେବ। ଶୁକ୍ରବାର କ୍ରୀଷ୍ଣା ବିକାଶ ସ୍କୁଲରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏ ନେଇ ଜିଲା କ୍ରିକେଟ ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାରଠାରୁ ଉଭୟ ଦଳର ଖେଳାଳିମାନେ ବରଗଡ଼ରେ ପହଞ୍ଚତ୍ ସ୍ଥାନୀୟ ହୋଟେଲ ନିକି ରେସିଡେନ୍ସି ଏବଂ ହୋଟେଲ ଗଣପତିରେ ଅବସ୍ଥାନ କରୁଛନ୍ତି। ଶୁକ୍ରବାର ସକାଳେ ବିକାଶ ଗ୍ରାଉଣ୍ଡରେ ମହାରାଷ୍ଟ୍ର ଦଳ ଅଭ୍ୟାସ କରିଥିବାବେଳେ ଅପରାହ୍ନରେ ଓଡ଼ିଶା ଦଳର ଖେଳାଳିମାନେ ଅଭ୍ୟାସ କରିଥିଲେ। ଉକ୍ତ ମ୍ୟାଚ୍‌ ପାଇଁ ବିସିସିଆଇ ପକ୍ଷରୁ ହେମନ୍ତ କୁମାର (ତାମିଲନାଡ଼ୁ କ୍ରିକେଟ ଆସୋସିଏଶନ) ମ୍ୟାଚ ରେଫରି ନିଯୁକ୍ତ ହୋଇଛନ୍ତି। ନୀତିନ ପଣ୍ଡିତ (ବିଦର୍ଭ କ୍ରିକେଟ ଆସୋସିଏଶନ) ଏବଂ କେ. ପ୍ରଭାକର ରାଓ (କେରଳ କ୍ରିକେଟ ଆସୋସିଏଶନ) ଆମ୍ପାୟାର କାର୍ଯ୍ୟ ତୁଲାଇବେ।

ବିରବର ନାୟକ ଅନ୍‌ଲାଇନ ସ୍କୋରର ଏବଂ ସନ୍ଦୀପ ଜି. ମାନୁଆଲ ସ୍କୋର, ତାପସ କୁମାର ନାୟକ ଭିଡ଼ିଓ ଆନାଲିଷ୍ଟ ଏବଂ ଶୁଭାଶିଷ ଜେନା ଆସିଷ୍ଟାଣ୍ଟ ଭିଡ଼ିଓ ଆନାଲିଷ୍ଟ କାର୍ଯ୍ୟ ନିର୍ବାହ କରିବେ। ପ୍ରତ୍ୟେକ ଦିନ ମ୍ୟାଚ୍‌ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ। ଦିନ ୧୧ଟା ୩୦ମିନିଟ୍‌ରୁ ଦିନ ୧୨ଟା ୧୦ମିନିଟ୍‌ ପର୍ଯ୍ୟନ୍ତ ଭୋଜନ ବିରତି ରହିବ।ଉଭୟ ଦଳ ପାଇଁ ଉଚ୍ଚମାନର ପଡ଼ିଆ, ପ୍ରାକ୍ଟିସ୍‌ ପିଚ୍‌, ବକ୍ସ ନେଟ୍‌ ଆଦି ବ୍ୟବସ୍ଥା ରହିଥିବା ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ପ୍ରତିଯୋଗିତା ପାଇଁ ଏକ କମିଟି ଗଠନ କରାଯାଇଛି। ଓଡ଼ିଶା ଦଳର ମ୍ୟାନେଜର ଭାବେ ସୁଜିତ କୁମାର ପ୍ରଧାନ ରହିଥିବାବେଳେ ପ୍ରୀତେଶ କୋଠାରୀ ମହାରାଷ୍ଟ୍ର ଦଳର ମ୍ୟାନେଜର ରହିଛନ୍ତି। ଆୟୋଜନ କମିଟିରେ ପ୍ରଦୀପ ସାହୁ ଓଡ଼ିଶା ଦଳର ମ୍ୟାନେଜର ଏବଂ ପ୍ରଦୀପ ନନ୍ଦ ମହାରାଷ୍ଟ୍ର ଦଳର ମ୍ୟାନେଜର ରହିଛନ୍ତି। ସଚ୍ଚିଦାନନ୍ଦ ପଣ୍ଡାଙ୍କ ଉପରେ ଅମ୍ପାୟାରମାନଙ୍କ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ଗୁରୁଦତ୍ତ ଦାଶ ଟିମ୍‌ ଗୁଡ଼ିକର ଦାୟିତ୍ୱ ବୁଝୁଥିବାବେଳେ ରଜତ ଦାଶଙ୍କୁ ଭିଡ଼ିଓ ଆନାଲିଷ୍ଟମାନଙ୍କ ଦାୟିତ୍ୱ ଦିଆଯାଇଛି। କ୍ୟୁରେଟର ଦାୟିତ୍ୱରେ ଓସିଏର ମୁରଲୀ ପାତ୍ର ଏବଂ ଅଶୋକ ସିଂ ଗ୍ରାଉଣ୍ଡ ଦାୟିତ୍ୱରେ ରହିଛନ୍ତି। ଖବରଦାତା ସମ୍ମିଳନୀରେ ଜିଲା କ୍ରିକେଟ ଆସୋସିଏଶନର ସଭାପତି ହରିହର ପ୍ରଧାନ, ସମ୍ପାଦକ ରବି ନାରାୟଣ ପଣ୍ଡା, କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡି. ବିବେକ, ନିର୍ଦ୍ଦେଶକ ଡଃ ସମରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଷ୍ଣା ବିକାଶ ଗ୍ରୁପ୍‌ ଅନ୍ତର୍ଗତ ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ସିନିୟର ସେକେଣ୍ଡାରୀ ବିଭାଗ ଅଧ୍ୟକ୍ଷ ଚିତ୍ତରଞ୍ଜନ ପତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, କ୍ରୀଡ଼ା ବିଭାଗ ମୁଖ୍ୟ ପୀତାମ୍ବର ପ୍ରଧାନ, କ୍ରିକେଟ କୋଚ୍‌ ଅଶୋକ ସିଂ ମଧ୍ୟ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!